ଓ୍ବାଶିଂଟନ୍,୪।୬: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକାର କରିଛନ୍ତି। ଲେବାନନରେ ଇସ୍ରାଏଲୀ ଆକ୍ରମଣ ପରେ ସେ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ ଏବଂ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଟ୍ରମ୍ପ କହିଛନ୍ତି, ମୁଁ ରାଗିଥିଲି ବୋଲି କହିବି ନାହିଁ, କିନ୍ତୁ ଲେବାନନ ସହିତ ଚାଲିଥିବା ସଂଘର୍ଷ ଯୋଗୁ ମୁଁ ହତାଶ ହୋଇଥିଲି। ମୁଁ ତାଙ୍କୁ ସଂଘର୍ଷ ବନ୍ଦ କରିବାକୁ ପଡିବ ବୋଲି କହିଥିଲି। ପରିସ୍ଥିତି ଏମିତି ହୋଇଥିଲା ମୁଁ ନେତାନ୍ୟାହୁଙ୍କୁ ପାଗଳ ହୋଇଗଲ କି ବୋଲି କହିଥିଲି। ମୁଁ ତାଙ୍କୁ ଏହା ମଧ୍ୟ କହିଥିଲି,ଯଦି ମୁଁ ନ ଥାନ୍ତି, ତେବେ ତୁମେ ଆଜି ଜେଲରେ ଥାନ୍ତ। ମୁଁ ତୁମର ଜୀବନ ବଞ୍ଚାଉଛି। ବର୍ତ୍ତମାନ ସମସ୍ତେ ତୁମକୁ ଘୃଣା କରନ୍ତି। ତୁମର ଏହି କାର୍ଯ୍ୟ ଯୋଗୁ ସମସ୍ତେ ଆଜି ଇସ୍ରାଏଲକୁ ଘୃଣା କରୁଛନ୍ତି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି,ମୁଁ ଏବଂ ନେତାନ୍ୟାହୁଏକାଠି ଭଲ କାମ କରିଥିଲୁ। ମୁଁ ତାଙ୍କୁ ବହୁତ ପସନ୍ଦ କରେ। ଟ୍ରମ୍ପଙ୍କ ଅସନ୍ତୋଷ ସତ୍ତ୍ୱେ, ନେତାନ୍ୟାହୁ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେବାନନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ବଜାୟ ରଖିବା ପାଇଁ ତାଙ୍କର ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ସେ ଏବେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି।