ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେ ଏହି ତାଲିକାରେ ରହିଆସିଥିଲେ। ବର୍ତ୍ତମାନ ଟ୍ରମ୍ପ୍‌ଙ୍କ ସମ୍ପତ୍ତିର ପରିମାଣ ୨.୫ ବିଲିୟନ ଡଲାର। ଫୋର୍ବସ ତାଲିକାରେ ସ୍ଥାନ ପାଇବା ପାଇଁ ଆବଶ୍ୟକ କଟ୍‌ଅଫ୍‌ଠାରୁ ତାଙ୍କ ସମ୍ପତ୍ତି ୪୦୦ ନିୟୁତ ଡଲାର କମ୍‌। ଗତବର୍ଷ ସେ ତାଲିକାର ୩୯୯ତମ ସ୍ଥାନରେ ରହିଥିଲେ।

ସୂଚନାନୁସାରେ,ଚଳିତ ବର୍ଷ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ୬୦୦ ନିୟୁତ ଡଲାର ହ୍ରାସ ପାଇବା ଫଳରେ ସେ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ମହାମାରୀ ଯୋଗୁ ୭୫ ବର୍ଷୀୟ ଟ୍ରମ୍ପ୍‌ଙ୍କ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ଭଲ ଚାଲୁନାହିଁ। କୋଭିଡ୍‌-୧୯ ପ୍ରଭାବ ସତ୍ତ୍ୱେ ଅନ୍ୟମାନେ ବେଶ୍‌ ଆଗେଇଥିବାବେଳେ ଟ୍ରମ୍ପ୍‌ଙ୍କ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ଅଗ୍ରଗତି କରିପାରି ନାହିଁ।

Share