ଇରାନ-ଆମେରିକା ଶାନ୍ତି ଆଲୋଚନା ପୁଣି ବିଫଳ: ପ୍ରତିନିଧିଙ୍କ ଇସଲାମାବାଦ ଯାତ୍ରା ବାତିଲ କଲେ ଟ୍ରମ୍ପ, ଫେରିଗଲେ…

ୱାଶିଂଟନ/ଇସଲାମାବାଦ,୨୫।୪: ପାକିସ୍ତାନରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଶାନ୍ତି ଆଲୋଚନା ପୁଣି ଥରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିନିଧି ଷ୍ଟିଭ ୱିଟକଫ ଏବଂ କୁଶନରଙ୍କ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛନ୍ତି। ଇରାନ ସହ ଆଲୋଚନା ପାଇଁ ୧୮ ଘଣ୍ଟାର ବିମାନ ଯାତ୍ରା କରିବାର କୌଣସି ମାନେ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

ଫକ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ପ୍ରତିନିଧିମାନେ ଇସଲାମାବାଦ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସେ ସେମାନଙ୍କୁ ରୋକି ଦେଇଛନ୍ତି। ଟ୍ରମ୍ପଙ୍କ ଅନୁସାରେ, “୧୮ ଘଣ୍ଟାର ଉଡ଼ାଣ ଭରି ସେଠାକୁ ଯାଇ ବେକାର କଥା ହେବାର କୌଣସି ଆବଶ୍ୟକତା ନାହିଁ। ଏଥିରେ କେବଳ ସମୟ ନଷ୍ଟ ହେବ। ଇରାନ ପାଖରେ କିଛି ନାହିଁ, ସବୁ କ୍ଷମତା ଆମ ହାତରେ ଅଛି। ଇରାନ ଯଦି କଥା ହେବାକୁ ଚାହୁଁଛି, ତେବେ ସେମାନେ ଯେକୌଣସି ସମୟରେ ଆମକୁ ଫୋନ କରିପାରିବେ।”

ଟ୍ରମ୍ପ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଇରାନ ନେତୃତ୍ୱ ମଧ୍ୟରେ ଏବେ ପ୍ରବଳ ଅନ୍ତଃକନ୍ଦଳ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ସେଠାରେ ଶାସନର ଭାର ପ୍ରକୃତରେ କାହା ହାତରେ ଅଛି, ତାହା କେହି ଜାଣିନାହାନ୍ତି।

ଅନ୍ୟପଟେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସାରି ଓମାନ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ପାକିସ୍ତାନ ଛାଡ଼ିବା ପୂର୍ବରୁ ସେ ଆମେରିକା ସହ ଆଲୋଚନା ପାଇଁ ୧୦ଟି କଠୋର ସର୍ତ୍ତ ରଖିଛନ୍ତି। ଇରାନ ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ, ଚାପ କିମ୍ବା ଧମକ ମଧ୍ୟରେ ଆମେରିକା ସହ କୌଣସି ପ୍ରତ୍ୟକ୍ଷ ଆଲୋଚନା ସମ୍ଭବ ନୁହେଁ।

ଯଦି ଇରାନ ଆମେରିକା ସହ କଥା ହେବାକୁ ଚାହୁଁ ନ ଥିଲା, ତେବେ ଆରାଗଚୀ କାହିଁକି ପାକିସ୍ତାନ ଆସିଥିଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଇରାନ ସଫେଇ ଦେଇଛି ଯେ, ଏହି ଗସ୍ତର ଉଦ୍ଦେଶ୍ୟ ଆମେରିକା ସହ ଆଲୋଚନା ନୁହେଁ, ବରଂ ଇସଲାମାବାଦ, ମସ୍କଟ ଏବଂ ମସ୍କୋ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା।

ଏବେ ଆମେରିକାର ଏହି କଡ଼ା ଆଭିମୁଖ୍ୟ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily