ଜିନପିଙ୍ଗ୍‌ଙ୍କ ଭାଷଣ ବେଳେ ଶୋଇପଡିଲେ ଟ୍ରମ୍ପ! ସୋସିଆଲ ମିଡିଆରେ ଚର୍ଚ୍ଚା

ବେଜିଂ,୨୦।୧୧: ଚାଇନାର ଶେନଝେନ୍‌ରେ ଚାଲିଥିବା APEC ଶିଖର ସମ୍ମିଳନୀରେ ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଭାଷଣ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଖି ବନ୍ଦ କରି ବସିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଟ୍ରମ୍ପଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଛି।

ଗୁରୁବାର APEC ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ଜିନପିଙ୍ଗ୍‌ ଭାଷଣ ଦେଉଥିଲେ। ଏହି ସମୟରେ ଟ୍ରମ୍ପ କିଛି ସମୟ ପାଇଁ ଆଖି ବନ୍ଦ କରିଥିବା ଏବଂ ମୁଣ୍ଡ ନୁଆଁଇଥିବା ଦେଖାଯାଇଥିଲା। ଏହାକୁ ଦେଖି ସେ ଭାଷଣ ଶୁଣୁଥିବା ବେଳେ ଢୁଳାଉଥିଲେ ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍‌ ମତ ଦେଇଛନ୍ତି । ଚାଇନାର ସରକାରୀ ଟେଲିଭିଜନରେ ମଧ୍ୟ ଏହା ପ୍ରସାରିତ ହୋଇଛି ।

ଭିଡିଓ ଭାଇରାଲ୍‌ ହେବା ପରେ ଟ୍ରମ୍ପଙ୍କ ସମାଲୋଚକମାନେ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି, ଅନ୍ୟମାନେ APECକୁ ସହଯୋଗ ଓ ବିଶ୍ୱ ସମସ୍ୟା ଉପରେ ଆଲୋଚନା କରିବାକୁ ଆସିଥିବା ବେଳେ ଟ୍ରମ୍ପ ଯେପରି ଶୋଇବାକୁ ଆସିଛନ୍ତି। ଅନ୍ୟ ଜଣେ ୟୁଜର୍‌ ଟ୍ରମ୍ପଙ୍କ ବୟସ ଓ ଦୀର୍ଘ ଯାତ୍ରାର କ୍ଲାନ୍ତିକୁ ଉଲ୍ଲେଖ କରିଥିଲେ ମଧ୍ୟ ତାଙ୍କର ପୂର୍ବ ରାଜନୈତିକ ମନ୍ତବ୍ୟକୁ ମନେ ପକାଇ ସମାଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ୨୦୧୯ରୁ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ‘ସ୍ଲିପି ଜୋ’ ବୋଲି କହି ସମାଲୋଚନା କରୁଥିଲେ। ଏବେ ନିଜେ ଆଖି ବନ୍ଦ କରିଥିବା ଭିଡିଓ ଭାଇରାଲ୍‌ ହେବା ପରେ ସେହି ଉପନାମକୁ ନେଇ ତାଙ୍କୁ ଟ୍ରୋଲ୍‌ କରାଯାଉଛି। ତେବେ ଟ୍ରମ୍ପ ଶୋଇପଡ଼ିଥିବା ଅଭିଯୋଗକୁ ହ୍ୱାଇଟ୍‌ ହାଉସ୍‌ ଖଣ୍ଡନ କରିଛି। ହ୍ୱାଇଟ୍‌ ହାଉସ୍‌ର ଯୋଗାଯୋଗ ନିର୍ଦ୍ଦେଶକ ଷ୍ଟିଭେନ୍‌ ଚେଉଙ୍ଗ୍‌ କହିଛନ୍ତି, ଟ୍ରମ୍ପ ଶୋଇ ନଥିଲେ; ସେ କାଗଜପତ୍ର ଦେଖୁଥିଲେ। ତେଣୁ ଭିଡିଓରେ ଦେଖାଯାଉଥିବା ଦୃଶ୍ୟକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

Share
Tags: donald trump