୩ୟ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ

ଟରଣ୍ଟୋ, ୨୧ା୯: କାନାଡାବାସୀ ପୁଣି ଲିବେରାଲ ପାର୍ଟିର ଜଷ୍ଟିନ୍‌ ଟ୍ରୁଡୋଙ୍କ ଉପରେ ଭରସା କରି ତୃତୀୟ ଥର ପାଇଁ ତାଙ୍କୁ କ୍ଷମତାକୁ ଆଣିଛନ୍ତି। କାନାଡାରେ ସୋମବାର ଅନୁଷ୍ଠିତ ୪୪ ତମ ସାଧାରଣ ନିର୍ବାଚନରେ ଟ୍ରୁଡୋ ବିଜୟୀ ହୋଇଥିଲେ ହେଁ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେ ସଂଖ୍ୟାଲଘୁ ସରକାର ଗଢ଼ିବା ନେଇ ପୂର୍ବରୁ ହୋଇଥିବା ସର୍ଭେ ଆକଳନ ଫଳାଫଳ ସତ ହୋଇଛି। ୩୩୮ ସଦସ୍ୟ ବିଶିଷ୍ଟ ହାଉସ୍‌ ଅଫ୍‌ କମନ୍ସରେ ବହୁମତ ପାଇଁ ଲିବେରାଲ ପାର୍ଟିକୁ ବହୁମତ ପାଇଁ ୧୭୦ ଆସନ ଆବଶ୍ୟକ ଥିବାବେଳେ ୧୪ଟି ସିଟ୍‌ କମ୍‌ ପାଇଛି। ଟ୍ରୁଡୋଙ୍କ ସରକାରରେ ୧୭ ଭାରତୀୟ-କାନାଡୀୟ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ନିର୍ବାଚନରେ ତାଙ୍କ ଦଳକୁ ସ୍ପଷ୍ଟ ମତ ମିଳିଥିବା ସେ ଦାବି କରିଛନ୍ତି। ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ମୁଖ୍ୟ ବିରୋଧୀ କଞ୍ଜରଭେଟିଭ୍‌ ପାର୍ଟିକୁ ୧୨୨ ସିଟ୍‌ ମିଳିଛି। ଜଗମିତ୍‌ ସିଂଙ୍କ ନେତୃତ୍ୱାଧୀନ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି(ଏନ୍‌ଡିପି)ର ଆସନ ଗତଥରଠାରୁ ୨୪ରୁ ୨୭କୁ ବୃଦ୍ଧି ପାଇଛି। ୧୯ ଭାରତୀୟ-କାନାଡା ଏମ୍‌ପିଙ୍କ ମଧ୍ୟରେ ଜଗମିତ୍‌ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଟିମ୍‌ ଉପ୍ପଲ ଏବଂ ବର୍ତ୍ତମାନର ୩ କ୍ୟାବିନେଟ ମନ୍ତ୍ରୀ ହରଜିତ୍‌ ସିଂ ସାଜ୍ଜନ, ବର୍ଦିଶ ଛାଗର, ଅନିତା ଆନନ୍ଦ ପ୍ରମୁଖ ରହିଛନ୍ତି। କୋଭିଡ୍‌ ମହାମାରୀ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ବିରୋଧୀ ଦଳ ନେତା ଏରିନ୍‌ ଓ ଟୋଲି ବିରୋଧ କରିଥିଲେ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରୁଡୋ ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବା ସେ ଅଭିଯୋଗ କରିଥିଲେ। ୨୦୧୫ରୁ କ୍ଷମତାରେ ଥିବା ୪୯ ବର୍ଷୀୟ ଟ୍ରୁଡୋ ୨୦୧୯ରେ ହାଉସ୍‌ ଅଫ୍‌ କମନ୍ସରେ ସଂଖ୍ୟା ଗରିଷ୍ଠତା ନ ଥାଇ ସରକାର ଗଢ଼ିଥିଲେ। ଏକକ ସଂଖ୍ୟାଗରିଷ୍ଠତା ପାଇ ଶାସନକୁ ଫେରିବା ଆଶାରେ ସେ ଆଗୁଆ ନିର୍ବାଚନ କରାଇଥିଲେ ହେଁ ସେ ବହୁମତ ହାସଲ କରିପାରିନାହାନ୍ତି। ଇଲେକ୍ସନ ଫଳାଫଳ ଜଣାପଡ଼ିବା ପରେ ସେ ଏକ ହୋଟେଲରେ କାର୍ଯ୍ୟକ୍ରମ ଆୟୋଜନ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Share