କାର ମରାମତି ବେଳେ ମାଡ଼ିଗଲା ଟ୍ରକ

ସଇଁତଳା, ୧ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ମନମୁଣ୍ଡା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲା ମାଝିଗୁଡ଼ାର ବାଲ୍ମିକି ବିଶୋଇ(୩୮)। ସେ ପରିବାର ସହ କାର (ନଂଓଡ଼ି-୦୨-ଏଏଲ-୪୭୫୪)ରେ ନୂତନ ବର୍ଷ ସକାଳୁ ସମ୍ବଲପୁରରେ ମା’ ସମଲେଇଙ୍କ ଦର୍ଶନ କରିବା ପାଇଁ ଶନିବାର ବିଳମ୍ବିତ ରାତିରେ ଯାଉଥିଲେ। ଜାତୀୟ ରାଜପଥ-୨୬ର ମନମୁଣ୍ଡା ଛକ ନିକଟରେ କାର ପମ୍ପଚର ହୋଇଯାଇଥିଲା। ଡ୍ରାଇଭର ଟାୟାର ବଦଳାଉଥିବା ବେଳେ ବିଶୋଇ ମୋବାଇଲ ଲାଇଟ ଦେଖାଉଥିଲେ। ରାତି ପ୍ରାୟ ୩ଟାରେ ବଲାଙ୍ଗୀର ପଟୁ ଆସୁଥିବା ଏକ ଟ୍ରକ(ନଂ. ଟିଏନ-୭୦-ଜେ-୩୨୨୬) ବିଶୋଇଙ୍କ ଉପରେ ମାଡ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଉପସ୍ଥିତ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଛି। ସଇଁତଳା ପୋଲିସ ଟ୍ରକକୁ ଜବତ କରିଛି। ମୃତ ବିଶୋଇଙ୍କ ତିନୋଟି ଛୋଟ ଝିଅ ଥିବା ପରିବାର ସୂତ୍ରରୁ ପ୍ରକାଶ।