ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର ସ୍ଥାନୀୟ ଗଣପତି ହୋଟେଲ ସମ୍ମୁଖରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ କାରକୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ କାର୍ କ୍ଷତିଗ୍ରସ୍ତ ହୋଇ ଥିବାବେଳେ କାର୍ ଭିତରେ ବସିଥିବା ୪ ଖବରଦାତା ରବି ପଣ୍ଡା, ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର ଏବଂ ରଞ୍ଜନ ଦେବତା ସୌଭାଗ୍ୟବଶତଃ ରକ୍ଷା ପାଇ ଯାଇଛନ୍ତି। ସେମାନେ ଅତାବିରା ଥାନା ସରଣ୍ଡାକୁ ଏକ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯିବା ବାଟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସହରରେ ବିନା ଫିଟନେସ ତଥା ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଯାନବାହାନ ଚାଲୁଥିବା ବେଳେ ପରିବହନ ବିଭାଗ ଆଖି ବୁଜି ଦେଇଛି।
ଅନ୍ୟପକ୍ଷରେ ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ମୃତାହତ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରାସ୍ତା ଅବରୋଧ ରହିଛି। ଜିଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଭର ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।