ଡ୍ରେନ୍‌ରେ ଗଳିପଡ଼ିଲା ଟ୍ରକ୍‌

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ): କିଛିଦିନ ତଳେ ନିର୍ମାଣ ହୋଇଥିବା ଡ୍ରେନ୍‌ରେ ଏକ ପଥର ବୋଝେଇ ଟ୍ରକ ଶନିବାର ଗଳିପଡ଼ିଥିବା ଦେଖିବାକୁ ମିଳିଛି l ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଡ୍ରେନ୍‌ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚୌଦ୍ୱାରରୁ ଧୂମାବତୀ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଧୂମାବତୀ ନିକଟରେ କିଛି ଦିନ ତଳେ ଏହି ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଟ୍ରକ ଗଳିପଡ଼ିବା ଘଟଣାକୁ ନେଇ ଡ୍ରେନର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।