Categories: Uncategorized

ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଲୁଟ୍‌

ବଡ଼ବିଲ/ଯୋଡ଼ା,ତା୧୨.୦୨(ସ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ଡିଏଭି ସ୍କୁଲ ନିକଟରେ ଜଣେ ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି ମୋବାଇଲ ଫୋନ, ଟଙ୍କା ଲୁଟି ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯୋଡ଼ା ହନୁମାନ ହଟିଂ ଅଞ୍ଚଳର ସାଗର ମୁଣ୍ଡା।

ମିଳିଥିବା ସୂଚନା ମୁତାବକ, ବଡ଼ବିଲ ଅଞ୍ଚଳରେ ରହୁଥିବା ରବି କୁମାର ଶର୍ମାଙ୍କ ଟ୍ରକ୍‌ ଧରି ଚାଳକ ନାଗୁ ଯାଦବ ବଡ଼ବିଲ ଅଭିମୁଖେ ଆସୁଥିଲେ। ହେଲେ ଯୋଡ଼ା ସ୍ଥିତ ଡିଏଭି ସ୍କୁଲ ନିକଟରେ କେତେକ ଦୁର୍ବୃତ୍ତ ଟ୍ରକକୁ ଅଟକାଇ ଥିଲେ। ପରେ ଚାଳକଙ୍କୁ ଆକ୍ରମଣ କରି ମୋବାଇଲ ସହ ୮ହଜାର ଟଙ୍କା ଲୁଟି ନେଇଥିଲେ। ଏପରିକି ଦୁର୍ବୃତ୍ତମାନେ ଏକ ଯାତ୍ରୀବାହୀ ବସ୍‌ରେ ଚଢିଯାଇଥିଲେ। ତେବେ ବସ୍‌ ଚାଳକ ସାହସିକତା ଦେଖାଇ ଜଣେ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିଲେ। ହେଲେ ଅନ୍ୟଜଣେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଖବର ପାଇ ଟ୍ରକ ମାଲିକ ପହଞ୍ଚି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାଗରଙ୍କୁ ଗିରଫ କରି ଲୁଟ୍‌ ମୋବାଇଲ ଫୋନ ଜବତ କରିଛି। ଏ ନେଇ ଯୋଡ଼ା ଥାନାରେ ଏକ ମାମଲା(ନଂ.୫୧/୨୦୨୨) ରୁଜୁ ହୋଇଛି।