ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ ହୋଇଛନ୍ତି । ମୃତକ ହେଲେ ଗଜପତି ଜିଲା ଅଡବା ଥାନା ଗୁଲୁବା ପଞ୍ଚାୟତ ଗାଲିମେରା ଗାଁର ଚନ୍ଦନ ଲିମା (୧୮) ବୋଲି ଜଣାପଡିଛି । ଆହତ ଜଣକ ହେଲେ ସେହି ଗାଁର ଜୀବନୀ ଲିମା (୨୦) ।
ସୂଚନା ପ୍ରକାରେ ଗୋଟିଏ ବାଇକ ଯୋଗେ ଚନ୍ଦନ ଓ ଜୀବନୀ ସାର୍ଟିଫିକେଟ ପାଇଁ ପାରଳାଖେମୁଣ୍ଡି ଯାଉଥିଲେ । ଏହି ସମୟରେ ତିତିସିଂ ଛକରେ ଗାରାବନ୍ଧରୁ ଚାଉଳ ବୋଝେଇ କରି ଲୁହlଗୁଡ଼ି ଯାଉଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଚନ୍ଦନଙ୍କ ମୃତ୍ୟୁ ହୋଇଥିବା ବେଳେ ଜୀବନୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଖଜୁରୀପଦା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖଜୁରୀପଦା ଫାଣ୍ଡି ଅଧିକାରୀ ନାରାୟଣ ଦାସ ଖବର ପାଇ ସଦଳେବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୩୨୬-ଏ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଦୀର୍ଘ ଚାରି ଘଣ୍ଟା ଧରି ରା.ଉଦୟଗିରିରୁ ପାରଳାଖେମୁଣ୍ଡି ଯାତାୟତ ଠପ ହୋଇଯାଇଥିଲା । ଏଭଳି ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ନୂଆଗଡ ତହସିଲଦାର ମୋନାଲିସା ଆଚାର୍ଯୀ, ବିଡିଓ ଲୋକନାଥ ଶବର, ସେରଙ୍ଗ ଥାନା ଅଧିକାରଣି କମଳା ଚୌଧୁରୀ ପ୍ରମୁଖ ପହଞ୍ଚି ବହୁ ସମୟ ଧରି ବୁଝାସୁଝା କରିଥିଲେ । ପରେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦାଳନାକାରୀ ମାନେ ରାସ୍ତାରୋକରୁ ହଟିଥିଲେ । ଏନେଇ ସେରଙ୍ଗ ଥାନାରେ ସଡକ ଦୁର୍ଘଟଣା ଜନିତ ୫୮/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଖଜୁରୀପଦା ଫାଣ୍ଡି ଅଧିକାରୀ ନାରାୟଣ ଦାଶ ସୂଚନା ଦେଇଛନ୍ତି ।