Categories: ଜାତୀୟ

କେସିଆର୍‌ଙ୍କ ନୂଆ ଦଳ ଘୋଷଣା ପୂର୍ବରୁ ଲୋକଙ୍କୁ ମଦ-କୁକୁଡ଼ା ବାଣ୍ଟିଲେ ଟିଆରଏସ୍‌ ନେତା ରାଜନାଲା ଶ୍ରୀହରି…

ହାଇଦ୍ରାବାଦ,୪।୧୦ : ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ସେ ଖୁବ ଶୀଘ୍ର ଜାତୀୟ ରାଜନୀତିରେ ପ୍ରବେଶ କରିବେ। ଟିଆରଏସ ମୁଖ୍ୟଙ୍କ ପୂର୍ବ ଘୋଷଣା ଅନୁଯାୟୀ ସେ ବୁଧବାର ଅର୍ଥାତ ବିଜୟାଦଶମୀ ଅବସରରେ ଏକ ଜାତୀୟ ଦଳର ଶୁଭାରମ୍ଭ କରିପାରନ୍ତି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଟିଆରଏସ ନେତା ରାଜନାଲା ଶ୍ରୀହରି ଏକ ଅଜବ କାର୍ଯ୍ୟ କରିଛନ୍ତି ।

କେସିଆର ୱାରଙ୍ଗାଲରେ ଏକ ଜାତୀୟ ପାର୍ଟି ଆରମ୍ଭ କରିବା ପୂର୍ବରୁ ଟିଆରଏସ ନେତା ରାଜନାଲା ଶ୍ରୀହରି ସ୍ଥାନୀୟ ଲୋକଙ୍କୁ ମଦ ବୋତଲ ଏବଂ କୁକୁଡ଼ା ବଣ୍ଟନ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି।

ଟିଆରଏସ ପାର୍ଟିର ସାଧାରଣ ବୈଠକ ଅକ୍ଟୋବର ୫ ତାରିଖରେ ତେଲେଙ୍ଗାନା ଭବନରେ ଅନୁଷ୍ଠିତ ହେବ। ସୋମବାର କେ ଚନ୍ଦ୍ରଶେଖର ରାଓଙ୍କ କାର୍ଯ୍ୟାଳୟରୁ ଏକ ସରକାରୀ ପ୍ରକାଶନରେ ଏହି ସୂଚନା ଦିଆଯାଇଛି। ତେବେ ପ୍ରକାଶନରେ ଏଜେଣ୍ଡା ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଏହା କୁହାଯାଉଛି ଯେ ଟିଆରଏସ ଅଧ୍ୟକ୍ଷ ଜାତୀୟ ରାଜନୀତି ସମ୍ବନ୍ଧରେ ନିଜର ମତ ରଖିବେ ଏବଂ ତାଙ୍କ ଦଳର କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ମାସରେ ଟିଆରଏସ ନେତାଙ୍କ ସହ ଏକ ଜାତୀୟ ଦଳ ଗଠନ କରିବାର ଧାରଣା ଉପରେ କେସିଆର ଆଲୋଚନା କରିଥିଲେ। ତେବେ ସେତେବେଳେ ଏକ ନୂତନ ଦଳର ଧାରଣା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲା। ସେହି ସମୟରେ ଟିଆରଏସ ସୂତ୍ରରୁ ପ୍ରକାଶିତ ହୋଇଥିଲା ଯେ ଏକ ନୂତନ ପାର୍ଟି ପାଇଁ ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ), ଉଜ୍ଜଳ ଭାରତ ପାର୍ଟି ଏବଂ ନୟା ଭାରତ ପାର୍ଟି ଭଳି କିଛି ନାମ ନେଇ ଆଲୋଚନା କରାଯାଉଛି। ତେବେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

Share