Categories: ଜାତୀୟ

୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ

ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟଙ୍କ ସହ ସାକ୍ଷାତକରି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ରାଓ୍ବତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ନିଜର ଇସ୍ତଫା ରାଜ୍ୟପାଳଙ୍କୁ ପ୍ରଦାନ କରିଛି। ଦଳ ଚାରି ବର୍ଷ ପର୍ଯ୍ୟନ୍ତ ଏହି ରାଜ୍ୟର ସେବା କରିବାର ସୁଯୋଗ ଦେଇଥିଲା। ଏହା କେବେ ବି ଆଶା କରି ନ ଥିଲି। ହେଲେ ଦଳ ଏବେ ଅନ୍ୟକୁ ଏହି ଅବସର ଦେବାକୁ ଚାହୁଁଛି। ଭାଜପା ବିଧାୟକ ଦଳର ବୈଠକ ବୁଧବାର ସକାଳ ୧୦ଟାରେ ଦଳ କାର୍ଯ୍ୟାଳୟରେ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏହାଛଡ଼ା ଉତ୍ତରାଖଣ୍ଡର ସେବା କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହି ସୁଯୋଗ ପାଇଁ ଭାଜପାକୁ ଧନ୍ୟବାଦ ଦେଉଛି। ଇସ୍ତଫା ଦେବାର ନିଷ୍ପତ୍ତି ଅନେକ ବିଚାର ବିମର୍ଶ କରିବା ପରେ ନେଇଛି। ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଭାଜପା ନିଶ୍ଚିତ କରିବ ବୋଲି ସେ ମଧ୍ୟ କହିଛନ୍ତି।

ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ରାଓ୍ବତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଣୁ ସେ ଦିଲ୍ଲୀରୁ ଫେରିବା ପରେ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏନେଇ ସରକାରୀ ଘୋଷଣା କରାଯାଇ ନ ଥିଲା। ଏବେ ରାଓ୍ବତ ନିଜେ ଏହି ସୂଚନା ଦେଇ ଚର୍ଚ୍ଚାରେ ମୋହର ଲଗାଇଛନ୍ତି।

Share