ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ କେତେକ ଅମାନିଆ ଏହାକୁ ବେଖାତିର କରି ଗୋଟିଏ ଗୋଟିଏ ବାଇକ୍‌ରେ ୩ ଜଣ ବସି ଦ୍ରୁତଗତିରେ ଯାଉଛନ୍ତି।

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ କଠୋର ପଦକ୍ଷେପ ନେବା ସହ ଜରିମାନା ଆଦାୟ କରୁଛି। ଗତ ମାସରେ ଟ୍ରାଫିକ୍‌ ପୋଲିସ ଏପରି ୧୨ ଜଣ ଟ୍ରିପଲ ରାଇଡିଂ କରୁଥିବା ଅମାନିଆଙ୍କୁ ଧରିଛି। ସେମାନଙ୍କଠାରୁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ସେମାନେ ଆଉ ଟ୍ରିପଲ ରାଇଡିଂ ନ କରିବାକୁ ତାଗିଦା କରାଯାଇଛି। ଏପରି କି ପୋଲିସ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ସେଗୁଡ଼ିକ ରଦ୍ଦ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ନିକଟକୁ ପଠାଇଛି ବୋଲି ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି।