ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…

ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି ବିଦ୍ରୋହୀ। ହମାସ,ହିଜବୁଲ ବିରୋଧରେ ଇସ୍ରାଏଲ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏପରିସ୍ଥଳେ ୟେମେନର ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ସୈନ୍ୟଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ହମାସ, ହିଜବୁଲ ଏବଂ ହୁତି ଟ୍ରିପଲ ଏଚ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲରେ ହୋଇଥିବା ଆକ୍ରମଣର ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛନ୍ତି। ଏହା ସହିତ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଗାଜାରେ ହମାସର ବେସ ଧ୍ୱଂସ କରିବାରେ ନିୟୋଜିତ ଇସ୍ରାଏଲ ସୈନିକମାନଙ୍କୁ ଲେବାନନର ହିଜବୁଲ ସହ ମୁକାବିଲା କରିବାକୁ ପଡୁଛି ଏବଂ ବର୍ତ୍ତମାନ ହୁତିମାନେ ସେମାନଙ୍କ ସାମ୍ନାରେ ସବୁଠାରୁ ବଡ ଆହ୍ବାନ ପାଲଟିଛନ୍ତି।

ୟେମେନର ହୁତି ବିଦ୍ରୋହୀମାନେ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି। ହୁତି ବିଦ୍ରୋହୀମାନେ ୧୫୦୦ କିଲୋମିଟର ଦୂରରୁ ଇସ୍ରାଏଲ-ହମାସ ଯୁଦ୍ଧରେ ଅନୁପ୍ରବେଶ କରିଛନ୍ତି। ସାଉଦି ଆରବ ଆଠ ବର୍ଷ ଧରି ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଆସୁଛି। ଇସ୍ରାଏଲ ଆକ୍ରମଣ ପରଠାରୁ ହୁତିମାନେ ପାଲେଷ୍ଟାଇନୀୟମାନଙ୍କ ପକ୍ଷ ରଖିଛନ୍ତି। ଆଠ ବର୍ଷ ଧରି ଶୋଇଥିବା ଏହି ଆନ୍ଦୋଳନ ପାଇଁ ଏକ ନୂଆ ଫ୍ରଣ୍ଟ ଖୋଲିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ପକ୍ଷରୁ କୁହାଯାଇଛି ଏହି ଆକ୍ରମଣରେ ଡ୍ରୋନ ସହିତ ବାଲିଷ୍ଟିକ ଏବଂ କ୍ରୁଜ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି ବୋଲି ସଂଗଠନର ମୁଖପାତ୍ର ୟାହିଆ ସାରିଆ କହିଛନ୍ତି। ସାରିଆ କହିଛନ୍ତି ୟେମେନର ଲୋକଙ୍କ ଦାବି ଅନୁଯାୟୀ ଏହି ଅପରେଶନ କରାଯାଇଛି।

ସାରିଆଙ୍କ ଅନୁଯାୟୀ, ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ବିରୁଦ୍ଧରେ ସଂଗଠନ ଦ୍ୱାରା ଏହା ତୃତୀୟ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଇସ୍ରାଏଲ ବିରୁଦ୍ଧରେ ଅଧିକ ଆକ୍ରମଣ କରିବାକୁ ଶପଥ ନେଇଥିଲେ। କୁହାଯାଉଛି ଇସ୍ରାଏଲର ଯୁଦ୍ଧ ବିମାନ ମଧ୍ୟ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ପଠାଯାଇଥିବା ଜେଟକୁ ଗୁଳି କରି ହତ୍ୟା କରିଛି। କୌତୁହଳର ବିଷୟ, ହୁତି, ହାମାସ ଏବଂ ହିଜବୁଲାର ତିନିଜଣଙ୍କର ଇସ୍ରାଏଲର ଶତ୍ରୁ ଇରାନର ସମର୍ଥନ ରହିଛି।

Share