ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଏହାର ଏକ ଦୁଃଖଦ ଉଦାହରଣ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିର ତ୍ରିନାଥ ଗୌଡ଼ (୮୦)ଙ୍କୁ ହତ୍ୟା କରାଯାଇଛି। ଗୁଣିଆ ସନ୍ଦେହରେ ଦୁର୍ବୃତ୍ତମାନେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପ୍ରକାଶ ଯେ, ତ୍ରିନାଥ ନିଜ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୁଅ ଗ୍ରାମ ମଧ୍ୟଭାଗରେ ଥିବା ଅନ୍ୟ ଏକ ଘରେ ରହୁଥିଲେ। ଗୁରୁବାର ସକାଳେ ତ୍ରିନାଥଙ୍କ ପୁଅ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଭଞ୍ଜନଗର ଏଏସ୍ପି ରଞ୍ଜନ କୁମାର ଦେ ଓ ତାରସିଂ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅପରାହ୍ନରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲା।
ଅନ୍ୟପକ୍ଷରେ ଏଏସ୍ପି ରଞ୍ଜନ କୁମାର ଦେ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଣିଗାରେଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ।