Categories: ଜାତୀୟ

ବିଜ୍ଞାପନ ଖର୍ଚ୍ଚରେ ଭାଜପାକୁ ପଛରେ ଛାଡ଼ିଲେ ଦିଦି

କୋଲକାତା,୨୫।୩ : ଆସନ୍ତା ୨୭ ତାରିଖରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଫେସବୁକରେ ରାଜନୈତିକ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିବାରେ ଶୀର୍ଷରେ ରହିଛି ପଶ୍ଚିମବଙ୍ଗ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଯାଇଛି। ଚଳିତ ମାସ ୨୨ ତାରିଖ ସୁଦ୍ଧା ଗତ ୯୦ ଦିନରେ ଏହି ରାଜ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ଲାଗି ଖର୍ଚ୍ଚ କରାଯାଇଛି ୩.୭୪ କୋଟି ଟଙ୍କା। ଏହି ତାଲିକାରେ ତାମିଲନାଡୁ (୩.୩ କୋଟି ଟଙ୍କା), ଆସାମ (୬୧.୭୭ ଲକ୍ଷ), କେରଳ (୩୮.୬୬ ଲକ୍ଷ) ଓ ପୁଡୁଚେରୀ (୩.୩୪ ଲକ୍ଷ) ରହିଛନ୍ତି।

ପଶ୍ଚିମବଙ୍ଗରେ ସରକାରକୁ ଫେରିବାକୁ ଚାହୁଁଥିବା ତୃଣମୂଳ କଂଗ୍ରେସ ଫେସବୁକରେ ବିଜ୍ଞାପନ ବାବଦରେ ଭାଜପାକୁ ପଛରେ ଛାଡ଼ି ଦେଇଛି। ଅନ୍ୟ ରାଜନୈତିକ ଦଳ ଅପେକ୍ଷା ତୃଣମୂଳ କଂଗ୍ରେସ ଖର୍ଚ୍ଚ କରିଛି ସର୍ବାଧିକ ୧.୬୯ କୋଟି ଟଙ୍କା। ଫେସବୁକରେ ଟିମ୍‌ଏମ୍‌ସି ପକ୍ଷରୁ ‘ବାଂଲାର ଗର୍ବ ମମତା’ ଅଭିଯାନ ଚାଲିଛି। ଏହି ଦଳର ଡିଜିଟାଲ ବିଜ୍ଞାପନକୁ ପରିଚାଳନା କରୁଛି ଇଣ୍ଡିଆନ ପଲିଟିକାଲ ଆକଶନ କମିଟି (ଆଇ-ପାକ୍‌)। ଏହି ୯୦ ଦିନର ଅବଧିରେ ଫେସବୁକ୍‌ ପେଜ ‘କ୍ଷତିକାରକ ମୋଦି’ରେ ୩୩.୧୨ ଲକ୍ଷ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରାଯାଇଛି। ଏହି ରାଜ୍ୟର ଭାଜପାର ଫେସବୁକରେ କେବଳ ୨୫.୩୧ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ କରିଛି। ଏହି ଧାରାରେ ମାତ୍ର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି କଂଗ୍ରେସ। ତେବେ ଟିଏମ୍‌ସିର ଫେସବୁକ ପେଜରେ ୧.୩ ନିୟୁତ ଫଲୋଅର୍ସ ଥିବାବେଳେ ପଶ୍ଚିମବଙ୍ଗ ଭାଜପା ପେଜର ଫଲୋଅର୍ସ ସଂଖ୍ୟା ୧.୭ ନିୟୁତ।

Share