ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ ଛକଠାରୁ ଆରମ୍ଭ ହୋଇଥିବା କ୍ୟାଣ୍ଡଲ ଯାତ୍ରା ସହର ପରିକ୍ରମା କରି ସୁନୀଲଙ୍କ ବାସଭବନ ଓ କୋଚିଂ ସେଣ୍ଟରେ ପହଞ୍ଚିଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର, ଶିକ୍ଷକ, ସହକର୍ମୀ ଏବଂ ଶୁଭେଚ୍ଛୁ ସାମିଲ ହୋଇ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
୩୯ବର୍ଷ ବୟସରେ ସୁନୀଲଙ୍କ ଅକାଳ ବିୟୋଗ ଗଞ୍ଜାମ ସହରରେ ଶୋକର ଛାୟା ଖେଳି ଯାଇଛି। ଶାନ୍ତ, ସରଳ ଓ ମିଷ୍ଟଭାଷୀ ଭାବେ ପରିଚିତ ସୁନୀଲ ଗଞ୍ଜାମସ୍ଥିତ ଜୟଶ୍ରୀ କେମିକାଲ ସ୍କୁଲରେ ପ୍ରାଣୀ ବିଜ୍ଞାନ ଶିକ୍ଷକ ଭାବେ ଦୀର୍ଘ ୧୮ ବର୍ଷ ଧରି ଶିକ୍ଷାଦାନ କରିଥିଲେ। ଏଥିସହ ସେ ନିଜର କୋଚିଂ ସେଣ୍ଟର ମଧ୍ୟ ପରିଚାଳନା କରୁଥିଲେ। ଗତ ପ୍ରାୟ ୬ ମାସ ଧରି ସେ କିଡ୍ନୀ ଜନିତ ରୋଗୀରେ ପୀଡ଼ିତ ଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଆୟୋଜିତ ଶୋକସଭାରେ ଛାତ୍ରୀଛାତ୍ର, ପୂର୍ବତନ ଛାତ୍ର, ସହକର୍ମୀ ଓ ଶୁଭେଚ୍ଛୁମାନେ ସୁନୀଲଙ୍କ ସ୍ମୃତିଚାରଣ କରିଥିଲେ। ଶୋକସଭାକୁ ଜିଜ୍ଞାଂଶା ରାଓ, ସ୍ନେହଲତା ପ୍ରଧାନ ଅମ୍ବିକା ପଣ୍ଡା, ଏସ୍. ସୁମିତ୍ରା ରେଡ୍ଡୀ, ସସ୍ମିତା ବେହେରା, ସାଇ ଶ୍ରଦ୍ଧା ପଲାଇ, ଦୀପକ ବେହେରା ଓ ପ୍ରତୀକ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।