ଦେଶ ବିକାଶରେ ଆଦିବାସୀଙ୍କ ପ୍ରମୁଖ ଭୂମିକା ରହିଛି: ମନ୍ତ୍ରୀ

କାଳିଆପାଣି,୧୦।୮(ଡି.ଏନ.ଏ.):  ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ ମାଇନିଂର ଟାଟାଷ୍ଟିଲ୍‌ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କୁ ନେଇ ମଙ୍ଗଳବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକୃତିକୁ ରକ୍ଷା କରି ଦେଶର ବିକାଶରେ ଆଦିବାସୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିବା ସହ ଓଡ଼ିଶାର ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ଭାବେ ପରିଚିତ ହୋଇଛନ୍ତି ବୋଲି କହିଥିଲେ। କମ୍ପାନୀର କାଟେପୂର୍ତ୍ତି ଅଡିଟୋରିୟମ୍‌ଠାରେ ଆୟୋଜିତ ସମାବେଶରେ ଟାଟା ଷ୍ଟିଲ୍‌ ମାଇନିଂର ବରିଷ୍ଠ ଜିଏମ୍‌ ସୁଶାନ୍ତ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ପରିଷଦ ସଭ୍ୟା ଜେମା ଚାଖି ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ସୌରିକ ଆଦିବାସୀ ସୁରକ୍ଷା ମଞ୍ଚ ସଭାପତି କେଶବ ହେଁସା ଆଦିବାସୀଙ୍କ ‘ହୋ’ ଭାଷାକୁ ସରକାରୀସ୍ତରରେ ସ୍ବୀକୃତି ଦେବାକୁ ଦାବି ରଖିଥିଲେ। ଏହି ଅବସରରେ ବିଲୁପ୍ତ ପ୍ରାୟ ଘୁମୁରା ନୃତ୍ୟକୁ ପୁନର୍ଜୀବିତ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେଶନ ଦ୍ୱାରା ଏକ ପ୍ରୋଜେକ୍ଟର କାର୍ଯ୍ୟକ୍ରମକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ସମାବେଶରେ ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସମ୍ପାଦକ ଭରତ ମହାନ୍ତ, ପୂର୍ବତନ ଜିଲା ପରିଷଦ ସଭ୍ୟ ବିଦ୍ୟାଧର ପାତ୍ର, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ବହୁ ଆଦିବାସୀ ନେତା ଯୋଗ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ମାଇନିଂର ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତ୍ତୀ ଧନ୍ୟବାଦ ଦେଇଥିଲେ।