ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିକାଶ କ’ଣ ଜାଣି ନାହାଁନ୍ତି। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ରାସ୍ତା, ପାନୀୟଜଳର ସୁବିଧା ନାହିଁ। ବିଜୁଳି ସେମାନଙ୍କ ପାଇଁ ସାତ ସପନ। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ହିଁ ତାଙ୍କର ସାହା ଭରଷା। କିଛି ଲୋକଙ୍କୁ ସୋଲାର ଲାଇଟ ଦିଆଯାଇଥିଲା। ହେଲେ ମାସେ ନ ପୁରୁଣୁ ତାହା ଖରାପ ହୋଇଗଲା। ଏମାନେ ଦାନା ଯୋଗାଡ଼ କରିବାକୁ ସକ୍ଷମ ନ ଥିବା ବେଳେ କିରାସିନି କିଣିବା ସେମାନଙ୍କ ପକ୍ଷେ କାଠିକରପାଠ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ପାହାଡ଼ ଭିତରେ ରହିଛି ଏହି ହରଡ଼ାଗୁଡ଼ା ଗାଁ। ଏହି ଗାଁରେ ୨୦ ଆଦିବାସୀ ପରିବାର ବିଗତ ୧୬ ବର୍ଷ ହେବ ଜନବସତି କରି ରହି ଆସୁଛନ୍ତି। ବର୍ତ୍ତମାନ ଗାଁରେ ଧିରେ ଧିରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତେ ଭୂମିହୀନ ହୋଇଥିବା ବେଳେ ଜଙ୍ଗଲକୁ କାଟି ବସବାସ କରିଛନ୍ତି। ହରଡ଼ାଗୁଡ଼ା ରାଜସ୍ବ ଗ୍ରାମର ମାନ୍ୟତା ପାଇନ ଥିବା ଯୋଗୁଁ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ସୂର୍ଲି ଗାଁ ଅଧୀନରେ ଏହି ଗାଁ ରହିଥିବାରୁ ସମସ୍ତ ଜନ୍ମ ପ୍ରମାଣ ପତ୍ର ହଉ କି ଆଧାରକାର୍ଡ ସବୁଠି ଏହି ଗାଁ ନାମ ରହିଛି। ଏହି ଗାଁକୁ ରାସ୍ତା ନ ଥିବା ବେଳେ ପ୍ରାୟ ୩ କିଲୋମିଟର ଜଙ୍ଗଲୀ ପାଦଚଲା ରାସ୍ତାରେ ଗ୍ରାମବାସୀ ଆସିଥାନ୍ତିି। ଗର୍ଭବତୀ କିମ୍ବା ପ୍ରସୂତୀଙ୍କୁୁ ଖଟିଆରେ ବୋହିକି ଆଣିବାକୁ ପଡ଼ିଥାଏ। ଗାଁରେ ସ୍କୁଲ ନ ଥିବା ଯୋଗୁଁ ଛାତ୍ରୀଛାତ୍ର ଶଗଡ଼ାନଦୀ ପାର ହୋଇ ୩କି.ମି.ଦୂର ସୂର୍ଲି ଗାଁ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଇଥାନ୍ତି। ପାନୀୟ ସମସ୍ୟା କଥା ଯଦି ଦେଖିବା ଗାଁରେ ମାତ୍ର ୩ଟି ନଳକୂପ ରହିଛି। ବର୍ତ୍ତମାନ ସବୁ ନଳକୂପ ଖରାପ ହୋଇଯାଇଛି। ଗ୍ରାମବାସୀ ବାଧ୍ୟ ହୋଇ ଶଗଡ଼ା ନଦୀର ପାଣିକୁ ପିଇବା ସହ ରୋଷେଇ କରୁଛନ୍ତି। କହିବାକୁ ଗଲେ ଏହି ଶଗଡ଼ା ନଦୀ ହିଁ ଗ୍ରାମବାସୀଙ୍କ ଜୀବନ ରେଖା ପାଲଟିଛି। ତେବେ ଗ୍ରାମବାସୀ କେବେ ପାଇବେ ରାଜସ୍ବ ଗ୍ରାମର ମାନ୍ୟତା, କେବେ ସରକାରଙ୍କ ମୌଳିକ ଯୋଜନାରେ ସାମିଲ ହୋଇ ବିକାଶର ସୂର୍ଯ୍ୟ ଦେଖିବେ ତାହା ଦେଖିବାକୁ ବାକି ରହିଲା। ଏନେଇ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ଉକ୍ତ ଗାଁ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳରେ ଆସୁଥିବାରୁ ରାସ୍ତା କରିବା ସମ୍ଭବ ନୁହେଁ। ସେହିପରି ରାଜସ୍ବ ଗ୍ରାମ ପାଇଁ ମଧ୍ୟ କୌଣସି ପ୍ରସ୍ତାବ ଏବେ ନାହିଁ ବୋଲ ସେି କହିଛନ୍ତି।