ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା ମଧ୍ୟରୁ ୭ଝିଅ ଓ ୨ ପୁଅ। ବାଙ୍କୁ ମୂଲମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାରର ୧୧ ପ୍ରାଣୀ ଚଳିବା କଷ୍ଟକର। ଓଳିଏ ଖାଇଲେ ଆର ଓଳି ଉପାସ। ଏପରିସ୍ଥିତିରେ ଅପପୁଷ୍ଟିରେ ବାଙ୍କୁଙ୍କ ଦୁଇଟି ପୁଅ ମଧ୍ୟରୁ ଜଣେ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିବାବେଳେ ଏବେ ଝିଅ କୁନି ହେମ୍ବ୍ରମ ଏବଂ ଶାନ୍ତି ହେମ୍ବ୍ରମ ଅପପୁଷ୍ଟିର ଶିକାର ହୋଇ ଘରେ ଶୋଇରହିଛନ୍ତି। ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାଶନ କାର୍ଡ ମିଳିଛି। ହେଲେ ସେଥିରେ ମିଳୁନି ରାଶନ ସାମଗ୍ରୀ। ଫଳରେ ମୁଲମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିବା ବାଙ୍କୁ ଶେଷରେ ପିଲାଙ୍କ ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି। ଏହି ଅପପୁଷ୍ଟି ଘଟଣା ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିସିପିଓ) ଶରତଚନ୍ଦ୍ର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ ଆକ୍ରାନ୍ତ ପିଲାଙ୍କୁ ପୁଷ୍ଟିସାଧନ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଡିସିପିଓଙ୍କ ଏକ ଟିମ୍‌ ଦାନଗଦି ସିଡିପିଓ ଦେବକୀ ପାତ୍ରଙ୍କ ସହିତ ମିଳିତ ଆଲୋଚନା ପରେ ବାଙ୍କୁଙ୍କ ଘରେ ପହଞ୍ଚତ୍ ଆଉ ୫ ଶିଶୁଙ୍କୁ ସୁକିନ୍ଦାସ୍ଥିତ ଆମ ଘର ଶିଶୁ ଯତ୍ନଗୃହରେ ଥଇଥାନ କରିଛନ୍ତି। ଏନେଇ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଜ୍ୟୋତିରଞ୍ଜନ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁବାର ଡାକ୍ତରୀ ଟିମ୍‌ ଯାଇଥିଲେ ମଧ୍ୟ ବାଙ୍କୁ ପୁଷ୍ଟି ସାଧନକେନ୍ଦ୍ରକୁ ଆସିବାକୁ ଅରାଜି ହୋଇଥିଲେ।