ଥରିଲା ପାକିସ୍ତାନ, ଘରେ ଶୋଇଥିବା ଲୋକେ ଭୟରେ ଦୌଡ଼ିଲେ ବାହାରକୁ…

ଇସଲାମାବାଦ, ୨୨।୬ : ମଙ୍ଗଳବାର-ବୁଧବାର ରାତି ପ୍ରାୟ ୨ଟା ୨୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମାଲେସିଆର କିଛି ଅଂଶରେ ମଧ୍ୟ ୫.୧ ତୀବ୍ରତାଯୁକ୍ତ ଭୂକମ୍ପ ମଧ୍ୟ ଘଟିଛି। ରାଜଧାନୀ କୁଆଲାଲମ୍ପୁରର ପଶ୍ଚିମ ଦିଗରେ ୫୬୧ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଜିଓ ନ୍ୟୁଜ ଅନୁଯାୟୀ, ବୁଧବାର ସକାଳେ ପାକିସ୍ତାନର ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବାଠାରେ ୬.୧ ତୀବ୍ରତା ଯୁକ୍ତ ରିକ୍ଟର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋଷ୍ଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା।

ରାତିଲେ ଲୋକେ ଘରେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ଲୋକେ ନିଦରୁ ଉଠି ଭୟରେ ବାହାରକୁ ଦୌଡ଼ି ଥିଲେ। ଶୋଇବା ସମୟରେ ଭୂକମ୍ପ ହୋଇଥିବାରୁ ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ଉଭୟ ପ୍ରଦେଶର ବିଭିନ୍ନ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଶୁକ୍ରବାର ରାୱଲପିଣ୍ଡି ଏବଂ ଖାଇବର ପସ୍ତୁନଖ୍ବାର କିଛି ଅଂଶରେ ଦୁଇଟି ଭୂକମ୍ପ ଘଟିଛି। ଗତ ମାସରେ ମଧ୍ୟ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ୫.୨ ତୀବ୍ରତା ଯୁକ୍ତ ଏକ ଭୂକମ୍ପ ହୋଇଥିଲା। ଖୁଜଦାର ଜିଲାରେ ୮୦ ଘର ଭୁଶୁଡି ପଡିବାରୁ ୨୦୦ରୁ ଅଧିକ ପରିବାର ଗୃହହୀନ ହୋଇ ପଡ଼ିଛନ୍ତି।

Share