ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ସେବା ପ୍ରଭାବିତ

କୁଆଁରମୁଣ୍ଡା,୨୧।୪: (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ହଠାତ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଛିଣ୍ଡି ଯାଇଥିଲା। ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ ବର୍ଷା ହୋଇ ନ ଥିଲା। କୁଆଁରମୁଣ୍ଡା ବ୍ଲକ ରୋଡରେ ଥିବା ପୁରୁଣା କୃଷି କାର୍ଯ୍ୟାଳୟ ଉପରେ ବିରାଟ ଗଛ ଭାଙ୍ଗିପଡିବା ସହ ବିଦ୍ୟୁତ ତାର ଛିଣ୍ଡିଯିବାରୁ ଅଞ୍ଚଳ ଅଦ୍ଧାର ରହିଥିଲା। ରାତିସାରା ଅଗ୍ନିଶମବାହିନୀ ରବିନ୍ଦ୍ର ବେହେରା, ବିଦେଶୀ ନାଏକ, ବିକ୍ରମ ଧରୁଆଙ୍କ ସହ ଅନ୍ୟ କର୍ମଚାରୀମାନେ ରାସ୍ତାରୁ ଗଛଡାଳଗୁଡିକୁ କାଟି ସଫା କରିଥିଲେ। ବିଦ୍ୟୁତ ସରବରାହ ଗୁରୁବାର ଦିନସାରା ସମ୍ପୂର୍ଣ୍ଣ ଠିକ୍‌ ହୋଇପାରି ନ ଥିବାରୁ ଲୋକେ ଗୁଳୁଗୁଳିରେ ହୀନସ୍ତା ହୋଇଛନ୍ତି।