ପଟ୍ଟାଙ୍ଗି, ୮।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ କଡରେ ଥିବା ଏକ ଗଛ ପଡି ଦୋକାନ ଗୃହ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ନେଇ କୁନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁଯାୟୀ ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିବା ଏକ ବରଗଛ ହଠାତ୍ ଭାଙ୍ଗି ରାଜପଥ ଉପରେ ପଡିଯିବା ଫଳରେ ଗଛ ତଳେ ରହିଥିବା ଡମ୍ବରୁ ଧର ନାୟକଙ୍କ ଡ୍ରେସ ଆଇରନ ଦୋକାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସହ ଦୋକାନ ଭିତରେ ଆଇରନ ହୋଇ ରହିଥିବା କିଛି ଲୋକଙ୍କ ଡ୍ରେସ୍ ମଧ୍ୟ ନଷ୍ଟ ହୋଇଯାଇଛି । ଫଳରେ ଲୋକଙ୍କ ଡ୍ରେସ ଆଇରନ କରି ଘର ଚଳାଉଥିବା ଡମ୍ବରୁଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ସ୍ଥାନୀୟ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଡମ୍ବରୁଙ୍କୁ ସହଯୋଗର ହାତ ବଢାଇବା ପାଇଁ ଦାବି କରିଛନ୍ତି । ସେପଟେ ଗଛ ନିକଟରେ ରହିଥିବା ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସମସ୍ତ ତାର ନଷ୍ଟ ହୋଇଥିବାବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳେ ପହଞ୍ଚି ପଡିଯାଇଥିବା ଗଛକୁ କାଟି ସଫା କରିଥିଲେ ମଧ୍ୟ ଦୋକାନ ଏବଂ ବିଦ୍ୟୁତ୍ ଖୁଣ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ ଦୃଶ୍ୟକୁ ନେଇ ଜାତୀୟ ରାଜପଥ କଡରେ ରହିଥିବା ବିପଦଜନକ ଗଛକୁ ଚିହ୍ନଟ କରି କ୍ଷତିଗ୍ରସ୍ତ ହେବା ପୂର୍ବରୁ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଯାହାକି ଏହିପରି ବିପଦଜନକ ଭାବେ ରହିଥିବା ପଶୁ ଚିକିତ୍ସାଳୟ ପାଚେରୀକୁ ଲାଗି ରହିଥିବା କୃଷ୍ଣ ଚୁଡା ଗଛ କେତେବେଳେ ପଡିଯିବ ତାହା କହି ହେବନାହିଁ । ଏହାକୁ ନେଇ ବିଭିନ୍ନ ମାଧ୍ୟମରେ ବ୍ଲକ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରା ାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।