ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ପରିବେଶବିତ୍ ତଥା ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଗଛକଟା ବନ୍ଦ କରାଯାଉ ବୋଲି ସୋସିଆଲ ମିଡିଆରେ ନିବେଦନ କରିଛନ୍ତି। ପ୍ରସ୍ତାବିତ ବସଷ୍ଟାଣ୍ଡ ୫ ଏକର ଜମିରେ ନିର୍ମାଣ ହେବ। ଏଥିପାଇଁ ବୁଧବାର ପ୍ରାୟ ୫,୦୦୦ ଗଛ କଟାଯାଇଛି। ଗଛ କଟା କେବଳ ୫ ଏକର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଆଗାମୀ ଦିନରେ ଆଖପାଖି ୩୬ ଏକର ଜମିରୁ ଆହୁରି ଗଛ କଟାଯିବ। ଖୋଲା ଓ ସବୁଜ ସ୍ଥାନ ସଙ୍କୁଚିତ ହେଉଥିବାରୁ ଏହି ଜମିକୁ ସହରାଞ୍ଚଳ ଜଙ୍ଗଲ ଭାବରେ ସଂରକ୍ଷିତ କରାଯାଇପାରିଥାନ୍ତା। ଏତେ ଗଛକଟା ହେଲେ ପକ୍ଷୀ ଏବଂ କୀଟପତଙ୍ଗ ବାସସ୍ଥାନ ହରାଇବେ। ଜିଲା ପ୍ରଶାସନ ଯଦି ଗଛ କାଟିବା କାର୍ଯ୍ୟ କରେ, ତେବେ ବନ ସୁରକ୍ଷା ଗୋଷ୍ଠୀ ନିରୁତ୍ସାହିତ ହେବା ସ୍ବାଭାବିକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହରର ପାଲବଣୀ ଅଞ୍ଚଳକୁୁ ଚିହ୍ନଟ କରାଯାଇଥିଲା। ରାଜସ୍ବ ବିଭାଗ, ଓଏସ୍ଆର୍ଟିସି, ବନ ବିଭାଗ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ପକ୍ଷରୁ ମିଳିତ ତଦନ୍ତ କରାଯାଇ ୫ଏକର ଜମି ବିଶିଷ୍ଟ ଅଣଜଙ୍ଗଲ ଜମିରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୨୦୯/୧୫ା୧୨ା୨୦୨୫ରେ ବାରିପଦା ରେଞ୍ଜ ଅଧିକାରୀଙ୍କୁ ଉକ୍ତ ଜମିରେ ଥିବା ୧୭୮୯ ଗଛ କାଟିବାକୁ ଅନୁମତି ଦିଆଯାଇଥିଲା। ଓଏଫ୍ଡିସି ପକ୍ଷରୁ ୧୭ ତାରିଖରୁ ଗଛକଟା ଆରମ୍ଭ ହୋଇଛି। ଚିହ୍ନଟ ସ୍ଥାନରେ ପାଖାପାଖି ୫ ହଜାର ଗଛ ଥିବାବେଳେ ଏହା ସହରକୁ ସବୁଜ ସୁନ୍ଦର ଭାବେ ତୋଳି ରଖିଛି। ଅନ୍ୟପକ୍ଷରେ ସହରରେ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ପାଲବଣୀ ଅଞ୍ଚଳରୁ ଏତେ ସଂଖ୍ୟକ ଗଛ କାଟିବା ଦୁର୍ଭାଗ୍ୟଜନକ ବୋଲି ଜିଲାର ଅଗ୍ରଣୀ ଛାତ୍ର ସଂଗଠନ ଭଞ୍ଜସେନା କହିଛି। ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ସ୍ଥାନ ଚିହ୍ନଟ ଓ ସେଠାରେ ହଜାର ହଜାର ଗଛ କଟାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି। ସଂଗଠନ ପକ୍ଷରୁ ଗଛ ନ କାଟି ପ୍ରସ୍ତାବିତ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ଅନ୍ୟତ୍ର ନିର୍ମାଣ ପାଇଁ ୪/୫ ମାସ ପୂର୍ବରୁ ମୟୂରଭଞ୍ଜ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ତା’ସତ୍ତ୍ୱେ ସେହି ଜାଗାରେ ହଜାର ହଜାର ଗଛ କାଟି ବସ୍ଷ୍ଟାଣ୍ଡ ନିର୍ମାଣ କରିବାର ଜିଦ ପ୍ରକୃତରେ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସଂଗଠନ ଅଭିଯୋଗ କରଛି। ଏଭଳି କାର୍ଯ୍ୟ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଇନର ଆଶ୍ରୟ ନେବ ବୋଲି ଭଞ୍ଜସେନା ଚେତାବନୀ ଦେଇଛି।
Dharitri – Odisha’s No.1 Odia Daily


