ବାଇକ ଉପରେ ପଡ଼ିଲା ଗଛ: ଶିଶୁପୁତ୍ର ମୃତ

ଯାଜପୁର ଅଫିସ,୨୭।୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଶନିବାର ପୂର୍ବାହ୍ନରେ ଗଛ ଡାଳପଡି ଜଣେ ୩ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଭଦ୍ରକ ଜିଲା ଆଗରପଡ଼ାର ଆଡ଼ିଆ ଗ୍ରାମର ସୁନନ୍ଦ ବିନ୍ଧାଣୀ ବାଇକ ଯୋଗେ ସ୍ତ୍ରୀ, ୧୨ ବର୍ଷର ଝିଅ ଏବଂ ୩ ବର୍ଷର ଶିଶୁ ପୁତ୍ରକୁ ନେଇ ଘରକୁ ଫେରୁଥିଲେ । ଏହି ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ୍‌ ଉପରେ ପଡିବା ଫଳରେ ସମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାରକରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ । ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାପା, ମା’ ଏବଂ ଝିଅ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଉତ୍ୟକ୍ତ ଲୋକେ ଯାଜପୁର-ବିଞ୍ଝାରପୁର ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।