Categories: ଜାତୀୟ

ଦେଶଦ୍ରୋହ ଆଇନର ସମୀକ୍ଷା ହେବ

ନୂଆଦିଲ୍ଲୀ, ୧୫।୭(ପି.ଟି.): ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଜଣେ ପୂର୍ବତନ ସେନା ଅଧିକାରୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ସମୀକ୍ଷା ହେବ। ଏଭଳି ଆଇନ ବାକ୍‌ ସ୍ବାଧୀନତା ଏବଂ ଅବାଧ ଅଭିବ୍ୟକ୍ତି ଭଳି ମୌଳିକ ଅଧିକାର ଉପରେ ଅଯଥା କଟକଣା ଲଗାଉଥିବା ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନର ଏକ କପି ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ପାଖକୁ ପଠାଇବା ଲାଗି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶଦ୍ରୋହ ଅପରାଧ ପାଇଁ ଲାଗୁ ହେଉଥିବା ଆଇପିସିର ଧାରା ୧୨୪-ଏ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ହୋଇଥିବାରୁ ଏହାକୁ ସ୍ପଷ୍ଟ ଭାବେ ରଦ୍ଦ କରାଯିବା ଆବଶ୍ୟକ ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ଏସ୍‌.ଜି. ଭୋମ୍ବାଟ୍‌କର ପିଟିଶନରେ ଦର୍ଶାଇଥିଲେ। ସରକାରଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଥିବା ଏକ ଅସାମ୍ବିଧାନିକ ଅସ୍ପଷ୍ଟ ସଂଜ୍ଞା ଆଧାରରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉଛି। ଧାରା ୧୨୪-ଏ ଲାଗୁ କରିବା ପୂର୍ବରୁ ସମୟର ପ୍ରବାହ ଏବଂ ଆଇନର ପରିବର୍ତ୍ତନକୁ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ଆବେଦନକାରୀ କହିଛନ୍ତି। ପୂର୍ବରୁ ମଣିପୁର ଏବଂ ଛତିଶଗଡ଼ର ଦୁଇଜଣ ଖବରଦାତା ଉକ୍ତ ଆଇନକୁୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ଉପରେ ସୁପ୍ରିମକୋର୍ଟଙ୍କ ଅନ୍ୟଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

Share