Categories: ଜାତୀୟ

ଦେଶଦ୍ରୋହ ଆଇନ ରଦ୍ଦ ହେଉ-ଶାନ୍ତିରେ ଲୋକେ ନିଶ୍ୱାସ ନିଅନ୍ତୁ,କହିଲେ ପୂର୍ବତନ ବିଚାରପତି…

ନୂଆଦିଲ୍ଲୀ,୧୧।୧୦: ଦେଶରେ ବିଭିନ୍ନ ରାଜନୈତିକ ଦଳର ସରକାର ଆସିବା ଯିବା ଲାଗି ରହିଛି। କିନ୍ତୁ ଦେଶରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଉ। ଏହାଦ୍ୱାରା ସାଧାରଣ ଲୋକ ଶାନ୍ତିରେ ନିଶ୍ୱାସ ନେଇପାରିବେ ବୋଲି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିନଣ୍ଟନ ଫଲି ନରିମାନ କହିଛନ୍ତି। ଏହା ସହିତ ବେଆଇନ କାର୍ଯ୍ୟକଳାପ ଉପରେ ପର୍ଯ୍ୟବେସିତ ୟୁଏପିଏ ଆଇନର କିଛି ଅଂଶ ମଧ୍ୟ ରଦ୍ଦ କରାଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

ବିଶ୍ୱନାଥ ପାରାୟତ କମିଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନରିମାନ କହିଛନ୍ତି ଯେ ବିଚାରାଧୀନ ଦେଶଦ୍ରୋହ ଆଇନ ମାମଲାକୁ କେନ୍ଦ୍ରକୁ ନ ପଠାଇବାକୁ ମୁଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବି।
ସୁପ୍ରିମକୋର୍ଟ ଏହି କ୍ଷେତ୍ରରେ ନିଜର କ୍ଷମତାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କ୍ଷମତା ପ୍ରୟୋଗ କରି ସୁପ୍ରିମ୍‌କୋର୍ଟ ଧାରା ୧୨୪-ଏ ଏବଂ ୟୁଏପିଏ ଆକ୍ଟର କିଛି ଅଂଶକୁ ରଦ୍ଦ କରିବା ଆବଶ୍ୟକ। ଗ୍ଲୋବାଲ ଲ ଇଣ୍ଡେକ୍ସରେ ଭାରତର ମାନ୍ୟତା ୧୪୨ ରହିବାର ମୁଖ୍ୟ କାରଣ ହେଉଛି ଯେ, ଏବେ ବି ଦେଶରେ ବ୍ରିଟିଶ ଶାସନ ସମୟର କଠୋର ଔପନିବେଶିକ ଆଇନ ରହିଛି।

ନରିମାନ କହିଛନ୍ତି ଯେ ଚାଇନା ଏବଂ ପାକିସ୍ତାନ ସହିତ ଭାରତର ଯୁଦ୍ଧ ହୋଇଛି। ଏହା ପରେ ଉପନିବେଶ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ ଲାଗୁ ହୋଇଛି। ୟୁଏପିଏ ଏକ ବ୍ରିଟିଶ ଅମଳର ଆଇନ । ଏଥିରେ କୌଣସି ଅଗ୍ରୀମ ଜାମିନ ନାହିଁ। ଏଥିରେ ସର୍ବନିମ୍ନ ପାଞ୍ଚ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ସେ କହିଛନ୍ତି ଯେ ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଧାରା ୧୨୪-ଏ ବର୍ତ୍ତମାନ ପର୍ଯ୍ୟନ୍ତ କିପରି ରହିଛି, ଏହାକୁ ନେଇ ବିଚାର କରାଯିବା ଉଚିତ।

Share