ସାଇକେଲରେ ଭାରତ ଭ୍ରମଣ

କୋକସରା,୨୨ା୫(ଡି.ଏନ୍‌.ଏ.) ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ବର୍ଷେ ହେଲା ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରି ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରୁଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ସିଲିଗୁଡିର ଶ୍ୟାମ ବିଶ୍ୱାସ(୩୫)।

ଶ୍ୟାମ ଗତ ମାର୍ଚ୍ଚ ୧ତାରିଖରୁ ସିଲିଗୁଡିରୁ ଯାତ୍ରା ଆରମ୍ଭ କରି ଦୀର୍ଘ ୧ ବର୍ଷ ୨ ମାସ ୨୧ ଦିନ ପରେ କଳାହାଣ୍ଡି ଜିଲାରେ ପହଞ୍ଚିଛନ୍ତି। ଶ୍ୟାମ ବର୍ତ୍ତମାନ ସୁଦ୍ଧା ୨୦ଟି ରାଜ୍ୟ ଭ୍ରମଣ କରି ସାରିଥିବା କହିଛନ୍ତି। ରବିବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ଶ୍ୟାମ ପହଞ୍ଚିଛନ୍ତି। କୋକସରାରେ ତାଙ୍କୁ ସ୍ବାଗତ କରାଯିବା ସହ ଜନସାଧାରଣ ସମର୍ଥନ କରିଥିଲେ। ସେ ଭାରତ ଭ୍ରମଣ କରି ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଏବଂ ଜଳ ସଞ୍ଚୟ ଉପରେ ଲୋକଙ୍କୁ ସଚେତନ କରୁଛନ୍ତି। ଏପରି କି ଗ୍ଲୋବାଲ ୱାର୍ମିଂ ବିରୋଧରେ ସଂଗ୍ରାମ କରିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି।