ବିନା ଲାଇଫ ଜ୍ୟାକେଟରେ ଯାତ୍ରା

ବାଲୁଗାଁ,୯।୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡ଼ଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀ ପରିବହନ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତେବେ କେତେଜଣ ଡଙ୍ଗା ଚାଳକ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶଯେ, ୨୦୧୮ ଜୁନ୍‌ ୧୬ରେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଡଙ୍ଗା କାଳବୈଶାଖର ଯୋଗୁ ଗଭୀର ପାଣିରେ ବୁଡ଼ିଯିବା ଫଳରେ ସେଥିରେ ଥିବା ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନୁରୂପଭାବେ ଗତବର୍ଷ ଫେବୃୟାରୀରେ ଏକ ମାଛଧରା ଡଙ୍ଗାରେ କାଳିଜାଈ ଦର୍ଶନ ସହ ବଣଭୋଜି କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା । ଏହି ଘଟଣାରେ ୨୫ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଗୁରୁତର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ନଜିର ରହିଛି । ବାରମ୍ବାର ଦୁର୍ଘଟଣା ଘଟିବାରୁ ଚିଲିକାରେ ୩ମାସ ପାଇଁ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଚିଲିକାରେ ଯାତ୍ରୀ ପରିବହନ ପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ପ୍ରଣୟନ କରାଯାଇଥିଲା। ବେଆଇନ୍‌ ଭାବେ ମାଛ ଧରା ଡଙ୍ଗାରେ ଯାତ୍ରୀ ପରିବହନକୁ ସମ୍ପୂୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏଥିସହ ଯାତ୍ରୀବାହୀ ଡଙ୍ଗାରେ ପ୍ରତ୍ୟେକ ଯାତ୍ରୀ ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ବାଧ୍ୟତାମୂଳକ ସହ ଡଙ୍ଗାରେ ଲାଇଫ୍‌ ବଏ, ଜୀବନ ରକ୍ଷାକାରୀ ଅନ୍ୟାନ୍ୟ ସାମଗ୍ରୀ ସହ ବୀମାକରଣ ଏବଂ ରେଜିଷ୍ଟ୍ରେଶନ୍‌ ଭୁକ୍ତ କରିବା ପାଇଁ ଡଙ୍ଗା ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଛି ମାସ ପ୍ରଶାସନର ଏହି ନିୟମକୁ ଡଙ୍ଗା ମାଲିକମାନେ ମାନିଥିବା ବେଳେ ପୁଣି ଏହି ନିୟମକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଡଙ୍ଗାରେ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ୍‌ ଥିଲେ ମଧ୍ୟ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ୍‌ ନ ପିନ୍ଧି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି । ଏ ସମ୍ପର୍କରେ ବାଲୁଗାଁସ୍ଥିତ ମୋଟରବୋଟ୍‌ ଆସୋସିଏଶନ୍‌ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ପାଇଁ ମାଇକ୍‌ ମାଧ୍ୟମରେ ଅବଗତ କରାଯାଉଛି। ଏଥିସହ ଯାତ୍ରୀଙ୍କୁ ବାରମ୍ବାର ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ କୁହାଯାଉଥିଲେ ମଧ୍ୟ ସେମାନେ ପିନ୍ଧୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।