ଟ୍ରେଲରକୁ ପିଟିଲା ଆମ୍ବୁଲାନ୍ସ: ୩ ଗୁରୁତର

ଜଗତ୍‌ସିଂହପୁର,୪।୩(ଡି.ଏନ୍‌.ଏ.): ଜଗତସିଂହପୁର ଜିଲାର କଟକ-ପାରାଦୀପ ରାସ୍ତା ଜୟପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ିରେ ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ରହିଥିବାଏକ ଟ୍ରେଲରକୁ ଏକ ଆମ୍ବୁଲାନ୍ସ ଧକ୍କାଦେଇଛି। ଏଥିରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, କୁଜଙ୍ଗ ମେଡ଼ିକାଲର ୧୦୮ ଆମ୍ବୁଲାନ୍ସ ପାରାଦ୍ୱୀପ ମେଡିକାଲରୁ ରୋଗୀ ନେଇ ଶନିବାର ଭୋରରୁ କଟକ ଅଭିମୁଖେ ଆସୁଥିଲା। ହେଲେ ଜୟପୁର ଛକ ନିକଟରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରେଲର ସହ ଆମ୍ବୁଲାନ୍ସ ପିଟି ହୋଇଥିଲା। ଆମ୍ବୁଲାନ୍ସରେ ସମୁଦାୟ ୬ ଜଣ ଥିବାବେଳେ ଡ୍ରାଇଭର, ଫାର୍ମାସିଷ୍ଟ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ପୋଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରିଛି। ପରେ ଅନ୍ୟ ଆମ୍ବୁଲାନ୍ସରେ ରୋଗୀ, ତାଙ୍କ ସମ୍ପର୍କୀୟ ଏବଂ ଆହତମାନଙ୍କୁ କଟକ ମେଡ଼ିକାଲ ନିଆଯାଇଛି ।