କଂଗ୍ରେସର ମୋବାଇଲ ଫୋନ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ କଂଗ୍ରେସ ଲୋକଲୋଚନକୁ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା। ମାସ୍କ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ, ନେବୁଲାଜର ଇତ୍ୟାଦି କିଣାରେ ଦୁର୍ନୀତିର ପର୍ଦ୍ଦାଫାଶ କଲାପରେ ସୋମବାର ଦଳ ଆଉ ଏକ ଦୁର୍ନୀତିର ଖୁଲାସା କରିଛି। ମୋବାଇଲ କିଣାରେ ମଧ୍ୟ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି, ସ୍ବାସ୍ଥ୍ୟକ୍ଷେତ୍ରର ତୃ୍‌ଣମୂଳସ୍ତରରେ କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଦ୍ୱାରା ମୋବାଇଲ ଫୋନ୍‌ କିଣିବାକୁ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟକୁ ଅର୍ଥ ଯୋଗାଇ ଦିଆଯାଇଛି। ଏହି ଅର୍ଥ ଦ୍ୱାରା ୧୦୯୨୫ଟି ସ୍ମାର୍ଟ ଫୋନ୍‌ କିଣାଯାଇ ଆଶାକର୍ମୀଙ୍କୁ ହସ୍ତାନ୍ତର କରିବାର ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉକ୍ତ ବିଭାଗ ବଜାରରେ ଉପଲବ୍ଧ ଥିବା ମୂଲ୍ୟଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ, ଓଡ଼ିଶା ବଜାରରୁ କ୍ରୟ ନ କରି ହରିୟାଣାର ଗୁରୁଗ୍ରାମ, ଏକ ନିର୍ଦ୍ଦିଷ୍ଟ ଡିଲରଠାରୁ କିଣାଯିବାର ଚକ୍ରାନ୍ତ ହେଉଛି। ୨୦୧୭ରୁ ଏହି ଡିଲର ଦ୍ୱାରା ରାଜ୍ୟ ସରକାର ବାରମ୍ବାର ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ କ୍ରୟ କରି ଆସୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ଦ୍ୱାରା ସରକାରଙ୍କ ଇ-ମାର୍କେଟ୍‌ ପ୍ଲସ୍‌ ପୋର୍ଟାଲରେ, ସ୍ମାର୍ଟ ଫୋନ୍‌ କିଣାଯିବା ପାଇଁ ଟେଣ୍ଡର ଆବେଦନ ହୋଇଥିଲା। ବିଭାଗର ବୈଷୟିକ ଅଧିକାରୀମାନେ ସେହି ନିର୍ଦ୍ଦିଷ୍ଟ ଡିଲରକୁ କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଇଚ୍ଛୁକ ଭଳି ପରିଦର୍ଶିତ ହେଉଛି। ସାମ୍‌ସଙ୍ଗର ରାଜ୍ୟ ସାରା କମ୍ପାନୀର ନେଟ୍‌ଓ୍ବର୍କ ଓ ବିକ୍ରୟକେନ୍ଦ୍ର ଅଛି, ଆବଶ୍ୟକ ମଡେଲଟି ମଧ୍ୟ ଓଡ଼ିଶା ବଜାରରେ ଉପଲବ୍ଧ ଅଛି। ଏହାସତ୍ତ୍ୱେ ଏହି ସାମଗ୍ରୀକୁ ହରିୟାଣାର ଏକ ନିର୍ଦ୍ଦିଷ୍ଟ ଡିଲର ଦ୍ୱାରା ସପ୍ଲାଇ କରାଯିବା ସନ୍ଦେହ ଘେରରେ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।