ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍‌ ତାର

ରାଉରକେଲା,୨୬।୧(ଦିନେଶ ମିଶ୍ର): ରାଉରକେଲା ଉଦିତନଗରସ୍ଥିତ ଶୀତଳପଡା ବସ୍ତିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ତାର ଝୁଲୁଛି। ଫଳରେ ବସ୍ତିବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହାର ପ୍ରତିକାର ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ବସ୍ତିବାସୀ ଅଭିଯୋଗ କରିଛନ୍ତି।
ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନରେ ଶୀତଳପଡା ବସ୍ତି ରହିଛି। ଏହି ବସ୍ତି ଆରଏସ୍‌ପିର ଡମ୍ପିଂୟାର୍ଡରେ ଗଢିଉଠିଥିବା ବେଳେ ଏଠାରେ ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ବସ୍ତିର ଅଧିକାଂଶ ଲୋକ ଦିନମଜୁରିଆ। ଏଠାକୁ ଆଜିଯାଏ ସମ୍ପୂର୍ଣ୍ଣ ମୌଳିକ ସୁବିଧା ଉପଲବ୍ଧ ହୋଇନାହିଁ। ବସ୍ତିରେ ଥିବା ବଲାଙ୍ଗୀର ବସ୍ତି, ବଜରଙ୍ଗ ବସ୍ତି ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ସୁବିଧା ପହଞ୍ଚତ୍ନାହିଁ। ସେହିପରି ମାତ୍ର ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବାବେଳେ ତାହା ବର୍ତ୍ତମାନ ମୁକୁଳା ଅବସ୍ଥାରେ ପଡିରହିଛି। ଏଠାରେ ହାଇଭୋଲଟେଜ ବିଦ୍ୟୁତ୍‌ ଯୋଗୁ ବିଭିନ୍ନ ସମୟରେ ଅଘଟଣ ଘଟୁଛି। ଏହି ଟ୍ରାନ୍ସଫର୍ମର ନିକଟରେ ସ୍ଥାନୀୟ ବସ୍ତିବାସୀଙ୍କୁ ସଚେତନ କରିବା ପାଇଁ କୌଣସି ଫଳକ ଲଗାଯାଇନାହିଁ। ଟ୍ରାନ୍ସଫର୍ମର ନିକଟରେ କୌଣସି ସୁରକ୍ଷାବାଡ ଘେରା ଯାଇନାହିଁ। ଫଳରେ ବୁଲା ପ୍ରାଣୀ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୁତ୍ୟୁବରଣ କରୁଛନ୍ତି। ସେହିପରି ବସ୍ତି ଭିତରେ୍‌ ସିମେଣ୍ଟ ଖୁଣ୍ଟ ବ୍ୟବସ୍ଥା ନ ଥିବାରୁ ବସ୍ତିବାସୀ ବାଉଁଶ ପୋତି ସେଥିରେ ବିଦ୍ୟୁତ ତାର ବାନ୍ଧି ନିଜ ଘରକୁ ସଂଯୋଗ ନେଇଛନ୍ତି। ଏହି ବସ୍ତିର ଏକାଧିକ ଲୋକ ବାଉଁଶ ପୋତି ବିଦ୍ୟୁତ ସଂଯୋଗ ନେଇଥିବାରୁ ତାରଗୁଡିକ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଫଳରେ ଝଡତୋଫାନ ହେଲେ ତାରଗୁଡିକ ବାଉଁଶରୁ ଖସି ପଡୁଥିବା ଯୋଗୁ ଏହା ବସ୍ତି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ବସ୍ତିବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗତ ୩ ମାସ ତଳେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇନାହିଁ। ଅନ୍ୟପକ୍ଷେ ଜଣେ ଉପଭୋକ୍ତା ୨୫ ମିଟର ଦୂରରୁ ବିଦ୍ୟୁତ ତାର ଟାଣନ୍ତି ତେବେ ସେ ୯ ହଜାର ୪ଶହ ଟଙ୍କା ଦେଲେ ତାଙ୍କୁ ସିମେଣ୍ଟ ଖୁଣ୍ଟ ସୁବିଧା ପ୍ରଦାନ କରାଯିବା ନିୟମ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଏ ନେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ବସ୍ତିଟି ଆର୍‌ଏସ୍‌ପି ସ୍ଥାନରେ ଗଢ଼ିଉଠିଥିବାରୁ ସେଠାରେ ବିଭିନ୍ନ ସମୟରେ ଉନ୍ନତିମୂଳକ କାର୍ଯ୍ୟ କରିବାରେ ବାଧାସୃଷ୍ଟି ହେଉଛି। ତଥାପି ଉକ୍ତ ବସ୍ତିରେ କିଭଳି ବିଭିନ୍ନ ସମସ୍ୟା ସମାଧାନ କରିହେବ ସେ ନେଇ ଆଗକୁ ଉଚିତ ପଦକ୍ଷେପ ନିଆଯିବ ବୋଲି ତରାଇ କହିଥିଲେ। ଏ ନେଇ ଉଦିତନଗରସ୍ଥିତ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଅଭିମନ୍ୟୁ ସ୍ବାଇଁଙ୍କୁ ପଚାରିବାରୁ ଶୀତଳପଡା ବସ୍ତିରେ କିଭଳି ବାଉଁଶରେ ବିଦ୍ୟୁତ୍‌ ତାର ଟଣାଯାଇଛି ତାର ତଦନ୍ତ କରାଯିବା ସହ ଆଗାମୀ ୭ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।