ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର

ଲାଠିକଟା,୩l୭(ରାମେଶ୍ବର ଖାଡ଼ଙ୍ଗା): ସାରନଗରୀ ମୁଖ୍ୟ ରାସ୍ତା କଡ଼ରେ ମୁକୁଳା ପଡ଼ିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯା’ଆସ କରନ୍ତି। ତେବେ କେତେବେଳେ ଅଘଟଣ ଘଟିବ ତାହା କହିହେବ ନାହିଁ। ଏହି ଟ୍ରାନ୍ସଫର୍ମରରୁ ସବୁ ବସ୍ତି ଓ ଦୋକାନମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ଏବେ ଏହା ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି। ତାର ଗୁଡ଼ିକ ଏଣେତେଣେ ଛନ୍ଦି ହୋଇ ପଡ଼ିଥିବାବେଳେ କିଛି ତାର ମାଟିରେ ଗୁଡ଼େଇ ହୋଇ ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଏହି ଟ୍ରାନ୍ସଫର୍ମର ପଛକୁ ଦୋକାନ ଗୁଡ଼ିକ ରହିଛି। ପ୍ରତ୍ୟେକ ଦିନ ଏଠାରେ ଗ୍ରାହକଙ୍କ ଭିଡ଼ ଜମିଥାଏ। ରାସ୍ତା କଡ଼ରେ ଟ୍ରାନ୍ସଫର୍ମର ଥିଲେ ମଧ୍ୟ ବିଦ୍ୟୁତ୍‌ ବିତରଣ କମ୍ପାନୀ ପକ୍ଷରୁ କୌଣସି ଫଳକ ଲଗାଯାଇ ନାହିଁ। ଏହି ରାସ୍ତାଦେଇ କମ୍ପାନୀର ଅନେକ କର୍ମଚାରୀ ଯା’ଆସ କରନ୍ତି। ହେଲେ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ। ଏହା ଚାରିପଟେ ଯଥାଶୀଘ୍ର ବାଉଣ୍ଡରି ବା ତାର ଘେରାଉ କରାଯାଉ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦିନ ଥାଉ ଥାଉ ଯଦି ଏହା ନ କରା ଯାଏ ତେବେ ବଡ଼ ଅଘଟଣ ଘଟିପାରେ। ଆଉ ଏଥିପାଇଁ କମ୍ପାନୀ ଦାୟୀ ରହିବ ବୋଲି ଲୋକେ କହିଛନ୍ତି। ଏ ସମ୍ପର୍କରେ ଆମେ କିଛି କର୍ମଚାରୀଙ୍କୁ ପଚାରିବାରୁ, ଉଚ୍ଚ ଅଧିକାରୀ ଏ ବାବଦରେ ଅବଗତ ଅଛନ୍ତି ବୋଲି କହିଛନ୍ତି। ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନେ କହିଛନ୍ତି।