ହସ୍ତାନ୍ତର କରାଯାଉନି ଅଙ୍ଗନୱାଡି କେନ୍ଦ୍ର, ସମସ୍ୟାରେ ଶିଶୁ

ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ବୁଗୁଡା ବ୍ଲକ ଅଧୀନ କରଚୁଲି ଗ୍ରାମସ୍ଥ ଅଙ୍ଗନୱାଡି କେନ୍ଦ୍ର -୨ରେ ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖସିଯାଇଥିଲା। ପ୍ରଶାସନ ଦ୍ୱାରା ପୁରୁଣା ଗୃହ ୨୦୧୬ ଜୁନ୍‌ ମାସଠାରୁ ବନ୍ଦ କରାଯାଇ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟଠାରେ ଜରୁରିକାଳୀନ ପରିସ୍ଥିତିରେ ଅତିରିକ୍ତ ଶ୍ରେଣୀ ଗୃହଠାରେ ଶିକ୍ଷାଦାନ ପାଇଁ ସ୍ଥାନାନ୍ତର କରାଯାଇଥିଲା। ଆଜି ଯାଏ ସେଠାରେ ଅଙ୍ଗନୱାଡି ଦ୍ୱିତୀୟ କେନ୍ଦ୍ର ଚାଲୁଛି। ଫଳରେ ଶିଶୁମାନେ ବ୍ରହ୍ମପୁର ଓ ଭୁବନେଶ୍ୱର ଜାତୀୟ ରାଜପଥ ଅତିକ୍ରମ କରି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହେବା ଦିନଠାରୁ ବାରମ୍ବାର ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପୁରୁଣା ଗୃହ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ଶେଷ ହୋଇଛି। ତେବେ ବିଦ୍ୟୁତ ସଂଯୋଗ, ପାଚେରି ନିର୍ମାଣ ଏବଂ ଜଳ ଯୋଗାଣ ନ ହୋଇ ଦୀର୍ଘଦିନ ହେବ ନିର୍ମାଣ ସରିଥିବା କେନ୍ଦ୍ର ପଡ଼ିରହିଛି। ନିର୍ମାଣାଧୀନ କେନ୍ଦ୍ରଠାରେ ଶୀଘ୍ର ଶିକ୍ଷାଦାନ ଆରମ୍ଭ କରିବା ପାଇଁ ଗ୍ରାମବାସୀ ମାର୍ଚ୍ଚ ମାସରେ ସ୍ଥାନୀୟ ବିଡିଓଙ୍କ ସମେତ ସିଡିପିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶିଶୁ ବିକାଶ ବିଭାଗ ତରଫରୁ ଶିଶୁମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବହୁ ପଦକ୍ଷେପ ହାତକୁ ନେଇ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲୁରଖିଥିବା ବେଳେ ଏଠି ସମ୍ପୂର୍ଣ୍ଣ ଅଲଗା ଚିତ୍ର ଦେଖିବାକୁ ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏବଂ ଏହି ସମସ୍ୟା ଆଗାମୀ ଦିନରେ ଲାଗିରହିଲେ ଶିଶୁମାନଙ୍କୁ ଶିକ୍ଷାଦାନ ପାଇଁ ନ ପଠାଇ ଆନ୍ଦୋଳନାତ୍ମକ ପଦକ୍ଷେପ ହାତକୁ ନିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ରୋଡ଼ ସାହି, ନାଳ ସାହି, କୁମ୍ଭାର ସାହି, ଧୋବା ସାହି ଏବଂ ହରିଜନ ସାହିର ଶିଶୁମାନେ ପାଠ ପଢ଼ିଥା’ନ୍ତି। ଏ ନେଇ ସିଡିପିଓ ବବିତା ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଥିଲେ। ତା’ପରେ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ତୁରନ୍ତ ଏହି ସମସ୍ୟାର ପ୍ରତିକାର ନିମନ୍ତେ ଉଦ୍ୟମ କରାଯିବ ବୋଲି କହିଥିଲେ।