ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଆହ୍ବାନ ଦେଇଛନ୍ତି। ଭାରତ ନିଜର ତତ୍କାଳୀନ ପେମେଣ୍ଟ ସିଷ୍ଟମ, ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ)କୁ ବିଶ୍ୱର ୧୧ଟି ଦେଶ ସହ ଯୋଡ଼ିସାରିଛି ଏବଂ ଏହାକୁ ଆହୁରି ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଶନିବାରଠାରୁ ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହେବାକୁ ଥିବା ୨ ଦିନିଆ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଆୟୋଜିତ ବ୍ରିକ୍ସ ବିଜ୍ନେସ୍ ଫୋରମରେ ଗୋୟଲ କହିଛନ୍ତି, ବ୍ରିକ୍ସ ସଦସ୍ୟ ଏବଂ ସହଯୋଗୀ ଦେଶଗୁଡ଼ିକୁ ଆମର ପେମେଣ୍ଟ ସିଷ୍ଟମଗୁଡ଼ିକୁ ପରସ୍ପର ସହ ଯୋଡ଼ିବା, ପରସ୍ପରର ସ୍ଥାନୀୟ ମୁଦ୍ରାରେ କାରବାର କରିବା, ଡିଜିଟାଲ ବାଣିଜ୍ୟକୁ ବିଶ୍ୱବ୍ୟାପୀ କରିବା ଏବଂ ଭବିଷ୍ୟତର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପାଇଁ ଏକାଠି ମିଶି କାମ କରିବାକୁ ଅନୁରୋଧ କରୁଛି। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଭାରତ ନିଜର ୟୁପିଆଇକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦ୍ରୁତ ପେମେଣ୍ଟ ସିଷ୍ଟମ ‘ଆନି’ ସହ ସଂଯୋଗ କରିଛି ଏବଂ ରୁଷିଆ ସହ ସ୍ଥାନୀୟ ମୁଦ୍ରାରେ କାରବାର କରିବା ପାଇଁ ପଦକ୍ଷେପ ନେଇଛି। ବ୍ରିକ୍ସ ଦେଶଗୁଡ଼ିକ ୩ ବର୍ଷ ପୂର୍ବେ କାରବାରର ସମାଧାନ ପାଇଁ ଏକ ସାଧାରଣ ମୁଦ୍ରା ପ୍ରଚଳନ ନିମନ୍ତେ କଳ୍ପନା କରିଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧ ଏବଂ ଶୁଳ୍କ(ଟାରିଫ୍) ପ୍ରତିବନ୍ଧକର ଚେତାବନୀ ପରେ ଏହି ଯୋଜନା ପଛରେ ପଡ଼ିଯାଇଛି। ତଥାପି ଡଲାର ସହ ଏକ ବିକଳ୍ପ ବ୍ୟବସ୍ଥା ବଜାୟ ରଖିବା ସାଙ୍ଗକୁ ସ୍ଥାନୀୟ ମୁଦ୍ରାରେ କାରବାର ଓ ବାଣିଜ୍ୟ ପ୍ରକ୍ରିୟା ସହଜ କରିବା ନିମନ୍ତେ ବ୍ରିକ୍ସ ଦେଶଗୁଡ଼ିକ ପାଇଁ ଏକ ପ୍ରମୁଖ ଏଜେଣ୍ଡା ହୋଇ ରହିଛି। ସାମ୍ପ୍ରତିକ ପରିପ୍ରେକ୍ଷୀରେ ଏକ ବିକଳ୍ପ କାରବାରର ସମାଧାନ ବ୍ୟବସ୍ଥା ରହିବା ବ୍ରିକ୍ସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଏହାର ଦୁଇଟି ସଦସ୍ୟ ରାଷ୍ଟ୍ର ରୁଷିଆ ଏବଂ ଇରାନ ଆର୍ଥିକ କଟକଣାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପରେ ପାଶ୍ଚାତ୍ୟ ଅର୍ଥନୀତିଗୁଡ଼ିକ ମସ୍କୋ ଉପରେ ଆର୍ଥିକ କଟକଣା ଲଗାଇବା ସ୍ବରୂପ ପ୍ରମୁଖ ରୁଷୀୟ ବ୍ୟାଙ୍କଗୁଡ଼ିକୁ ଅନ୍ତର୍ଜାତୀୟ ପେମେଣ୍ଟ ମେସେଜିଂ ସିଷ୍ଟମ ‘ସୁଇଫ୍ଟ’ରୁ ବାଦ୍ଦେବା ପରେ ନୂଆଦିଲ୍ଲୀ ରୁଷିଆ ସହ ସ୍ଥାନୀୟ ମୁଦ୍ରାରେ କାରବାର ସମାଧାନର ସମ୍ଭାବନା ଖୋଜିଥିଲା। ଏହି କ୍ରମରେ ସମସ୍ତ ବ୍ରିକ୍ସ ରାଷ୍ଟ୍ର ସଦସ୍ୟ ସ୍ଥାନୀୟ ମୁଦ୍ରାରେ କାରବାର କରିବାକୁ ଗୋୟଲ ଆହ୍ବାନ ଜଣାଇଛନ୍ତି। ରୁଷିଆ ଆର୍ଥିକ ବିକାଶ ମନ୍ତ୍ରୀ ମ୍ୟାକ୍ସିମ ରେଶେଟନିକୋଭ ସେହି ସମାନ କାର୍ଯ୍ୟକ୍ରମରେ କହିଛନ୍ତି , ରୁଷିଆ ଗତ ୩ ବର୍ଷ ମଧ୍ୟରେ ନିଜର ବ୍ୟାପାର ଗଠନରେ ପରିବର୍ତ୍ତନ କରିଛି ଏବଂ ବର୍ତ୍ତମାନ ଏହାର ଅଧିକାଂଶ ରପ୍ତାନି ସହଯୋଗୀ ଦେଶଗୁଡ଼ିକ ସହ ସ୍ଥାନୀୟ ମୁଦ୍ରାରେ ହିଁ ସମାଧାନ କରୁଛି।