ଯାତ୍ରୀଙ୍କ ମଧ୍ୟରୁ କୋଭିଡ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବ ସ୍ନିଫର ଡଗ୍‌

ନୂଆଦିଲ୍ଲୀ,୧୭।୫: ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଏଣିକି କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିପାରିବ ତାଲିମପ୍ରାପ୍ତ ସ୍ନିଫର ଡଗ୍‌। ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ଅନୁସନ୍ଧାନ ରିପୋର୍ଟ ବିଏମ୍‌ଜେ ଗ୍ଲୋବାଲ ହେଲଥ୍‌ ଜର୍ନାଲରେ ପ୍ରକାଶ ପାଇଛି। ସୂଚନା ମୁତାବକ, ତାଲିମପ୍ରାପ୍ତ ସ୍ନିଫର ଡଗ୍‌ମାନେ ଏସ୍‌ଏଆରଏସ୍‌-ସିଓଭି-୨(ସାର୍ସ-କୋଭ-୨)ଦ୍ୱାରା ସଂକ୍ରମିତ ବିମାନ ଯାତ୍ରୀମାନଙ୍କୁ ସଠିକ୍‌ ଭାବେ ଚିହ୍ନଟ କରିପାରିବେ ବୋଲି ଏଥିରେ ଦର୍ଶାଯାଇଛି। କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରିବାର ଏହି ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା କେବଳ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ କରିବାରେ ପ୍ରଭାବଶାଳୀ ନୁହେଁ, ବରଂ ମହାମାରୀକୁ ନିୟନ୍ତ୍ରଣ କରିବାରେ ମଧ୍ୟ ପ୍ରଭାବଶାଳୀ ବୋଲି କୁହାଯାଉଛି। ଅଧ୍ୟୟନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ହେଉଛି, ଏହି କୁକୁରମାନେ କରୋନାର ଆଲ୍‌ଫା ଭାରିଆଣ୍ଟକୁ ସଠିକ୍‌ ଭାବେ ଚିହ୍ନଟ କରିବାରେ କମ୍‌ ସଫଳ ହୋଇଛନ୍ତି। କାରଣ ସେମାନଙ୍କୁ କରୋନାର ମୂଳ ରୂପ ଚିହ୍ନଟ କରିବାକୁ ତାଲିମ ଦିଆଯାଇଥିଲା। ତେବେ ଏଥିରୁ ପ୍ରମାଣିତ ହେଉଛି ଯେ, କୁକୁରମାନେ ବିଭିନ୍ନ ଗନ୍ଧ ମଧ୍ୟରେ ଥିବା ପାର୍ଥକ୍ୟକୁ ବାରିବାରେ କେତେ ସକ୍ଷମ। କୁକୁରଙ୍କ ଶରୀରରେ ବିଭିନ୍ନ ମେଟାବୋଲିକ ପ୍ରକ୍ରିୟା ସମୟରେ ବାହାରୁଥିବା ବିଭିନ୍ନ ଅର୍ଗାନିକ୍‌ ଯୌଗିକକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ। ଯେଉଁଥିରେ ଜୀବାଣୁ, ଭାଇରାଲ ଏବଂ ପରଜୀବୀ ସଂକ୍ରମଣରୁ ଉତ୍ପନ୍ନ ହେଉଥିବା ଯୌଗିକ ମଧ୍ୟ ସାମିଲ ରହିଛି। ସୂଚନା ମୁତାବକ, ହେଲ୍‌ସିଙ୍କି ବିଶ୍ୱବିଦ୍ୟାଳୟ ଏବଂ ଫିନ୍‌ଲ୍ୟାଣ୍ଡର ହେଲସିଙ୍କି ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଅନୁସନ୍ଧାନକାରୀମାନେ ୪ଟି କୁକୁରକୁ ୨୦୨୦ରେ ଏସ୍‌ଏଆରଏସ୍‌-ସିଓଭି-୨ ଗନ୍ଧ ବାରିବା ପାଇଁ ତାଲିମ ଦେଇଥିଲେ। ଡ୍ରଗ୍ସ କିମ୍ବା ବିପଜ୍ଜନକ ବସ୍ତୁ କିମ୍ବା କର୍କଟ ଚିହ୍ନଟ ପାଇଁ ଏହି କୁକୁରମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ପୂର୍ବରୁ ତାଲିମ ଦିଆଯାଇଥିଲା। ଏହି କୁକୁରମାନଙ୍କୁ ତାଲିମ ଦେବା ପାଇଁ ୪୨୦ ସ୍ବେଚ୍ଛାସେବୀ ପ୍ରତ୍ୟେକ କୁକୁରକୁ ନିଜର ଚର୍ମର ସ୍ବାବର ନମୁନା ପ୍ରଦାନ କରିଥିଲେ। ୪ଟି କୁକୁର ପ୍ରତ୍ୟେକ ସ୍ବେଚ୍ଛୋସେବୀଙ୍କ ୧୧୪ ଚର୍ମର ନମୁନା ମଧ୍ୟ ଶୁଂଘିଥିଲେ। ଏଥିସହ ପିସିଆର ସ୍ବାବ ପରୀକ୍ଷଣରେ ବି ସାର୍ସ କୋଭ-୨ ପଜିଟିଭ ଆସିଥିଲା। ଏବଂ ୩୦୬ଟି ନେଗେଟିଭ୍‌ ଆସିଥିବା ସୂଚନା ରହିଛି।

Share