ରେଳ ଷ୍ଟେଶନ,ଗଳାପୋଲ ଦାବିରେ ଧାରଣା

ରସାଳପୁର,୧୭।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ସଦର ଥାନା ନିକଟବର୍ତ୍ତୀ ବାଙ୍ଗରା ନିକଟରେ ଏକ ରେଳ ଷ୍ଟେଶନ ଓ ଗଳାପୋଲ ନିର୍ମାଣ ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି। ଏନଇ ସୋମବାର ରେଳ ଫାଟକ ନିକଟରେ ସାମାଜିକ ନ୍ୟାୟ ଅଧିକାର ମଞ୍ଚ ସଭାପତି ବିଧାନ ଚନ୍ଦ୍ର ଜେନା ଓ ଗେଙ୍ଗୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗ ସିଂଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା। ପୂର୍ବରୁ ଏନେଇ ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ଷ୍ଟେଶନ ମାଷ୍ଟରଙ୍କୁ ରେଳରୋକୋ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ନିର୍ଦ୍ଧାରିିତ ତାରିଖ ପୂର୍ବରୁ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ସେଠାକୁ ଯାଇ ସରଜମିନ୍‌ ସର୍ଭେ କରିଥିବା ଜଣାପଡ଼ିଛି। ରେଳରୋକୋ ପୂର୍ବରୁ ଷ୍ଟେଶନ ମାଷ୍ଟରଙ୍କ ସମେତ ୧ ପ୍ଲାଟୁନ ରେଳବାଇ ପୋଲିସ ଓ ସଦର ଥାନା ଅଧିକାରୀ ଅଶୋକ କୁମାର ନାୟକ ସେଠାରେ ପହଞ୍ଚତ୍ ରେଳରୋକୋ ସ୍ଥଗିତ ରଖିବା ପାଇଁ କହିଥିଲେ। ଷ୍ଟେଶନ ମାଷ୍ଟର ପ୍ରମୋଦ ଚନ୍ଦ୍ର ରାଉତ ଏକ ସପ୍ତାହ ମଧ୍ୟରେ ଏହା ଉପରେ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିବାରୁ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଷ୍ଟେଶନ ମାଷ୍ଟର ରାଉତଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଖାନନଗର ସରପଞ୍ଚ ଅଞ୍ଜନ ନାୟକ, ଗେଙ୍ଗୁଟି ସରପଞ୍ଚଙ୍କ ସ୍ବାମୀ ସତ୍ୟନାରାୟଣ ଆଚାର୍ଯ୍ୟ, ରେମୁଣା ବ୍ଲକ ଚେୟାରମ୍ୟାନ୍‌ ରାଜେନ୍ଦ୍ର ରାଉତଙ୍କ ସମେତ ଖାନନଗର ଓ ଗେଙ୍ଗୁଟି ପଞ୍ଚାୟତର ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ, ଉକ୍ତ ସଙ୍ଗଠନ ପକ୍ଷରୁ ଷ୍ଟେଶନ ନିର୍ମାଣ ପାଇଁ ଗତ ୨୦୧୮ ଅକ୍ଟୋବର ୧୫ରେ ୫ଘଣ୍ଟିଆ ରେଳରୋକୋ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏନେଇ ବାଲେଶ୍ୱର ଜିଲାପାଳ ପତ୍ରସଂଖ୍ୟା ୭୨୭୧ରେ ସଙ୍ଗଠନ ସହିତ ଆଲୋଚନା ପାଇଁ ୧୧।୧୦।୧୮ରେ ଡକାଇଥିଲେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଡିଭିଜନାଲ ମ୍ୟାନେଜର ଖଡ଼ଗପୁର, ବାଲେଶ୍ୱର ଏସ୍‌ପି, ଉପଜିଲାପାଳ, ତହସିଲଦାର, ବାଲେଶ୍ୱର ଷ୍ଟେଶନ ମ୍ୟାନେଜରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରାଯାଇ ସର୍ବେକ୍ଷଣ କରାଯାଇଥିଲା। ହେଲେ ଅଦ୍ୟାବଧି ଏନେଇ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମଞ୍ଚ ସଭାପତି ଜେନା ପ୍ରକାଶ କରିଛନ୍ତି।