Categories: ଫୁରସତ

ଏମିତି ରେଳ ମାର୍ଗ, ଯେଉଁଠି ବସେ ପରିବା ବଜାର

ସାଧାରଣତଃ ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସ୍ମରଣୀୟ ହୋଇ ରହିଥାଏ। ଯେତେବେଳେ ବି ଟ୍ରେନରେ ଯାତ୍ରା କରିବାକୁ ପଡ଼େ ଆମେ ଆନନ୍ଦିତ ହୋଇଥାଉ। ପ୍ରତ୍ୟେକ ବ୍ୟକ୍ତି ଯିଏ କିଛି ସମୟ ଟ୍ରେନରେ ଯାତ୍ରା କରିଛନ୍ତି, ନିଶ୍ଚିତ ଭାବରେ କିଛି ନା କି ଅଭିଜ୍ଞତା ଅଛି। ଟ୍ରେନ୍‌ ଯାତ୍ରା ସମୟରେ ଆମେ ନଦୀ, ପର୍ବତ, ଗ୍ରାମ, ସହର ଏବଂ ଆହୁରି ଅନେକ ପ୍ରାକୃତିକ ଦୃଶ୍ୟ ଦେଖିବାର ସୁଯୋଗ ପାଇଥାଉ। ଏହିସବୁ ଦେଖିବା ପରେ ହୃଦୟ ଆନନ୍ଦରେ ପୂରି ଉଠେ।

ଏମିତି କିଛି ଟ୍ରେନ ରୁଟ୍‌ ବା ରେଳ ମାର୍ଗ ଅଛି, ଯାହା ଅଜବ କାରଣ ପାଇଁ ଜଣାଶୁଣା। ଏହି ଟ୍ରେନ୍‌ଲାଇନ୍‌ ମଧ୍ୟରୁ ଅନେକ ବହୁତ ସୁନ୍ଦର। କିନ୍ତୁ ଏମିତି ଏକ ଟ୍ରେନ୍‌ ମାର୍ଗ ଅଛି, ଯାହାର ଦୁଇ ପାର୍ଶ୍ୱରେ ପନିପରିବା ବଜାର।

ଥାଇଲ୍ୟାଣ୍ଡର ବ୍ୟାଙ୍କ୍‌କକ୍‌ ସହରରେ ଏକ ଏମିତି ଟ୍ରେନ ମାର୍ଗ ରହିଛି। ଯେଉଁଠାରେ ଟ୍ରେନ ବଜାର ମଧ୍ୟ ଦେଇ ଯାଇଥାଏ। ଏହି ବଜାର ‘ଫୋଲ୍ଡିଂ ଅମ୍ବ୍ରେଲା’ ବଜାର ଭାବରେ ଜଣାଶୁଣା। ଟ୍ରେନ୍‌ ଯିବା ସମୟରେ ଦୋକାନୀମାନେ ସେମାନଙ୍କର ଫୋଲ୍ଡିଂ ଛତାକୁ ବନ୍ଦ କରିଦିଅନ୍ତି। ଟ୍ରେନ୍‌ ଯାଇସାରିବା ପରେ ପୁଣି ବେପାରରେ ବସିଯାନ୍ତି। ଫଳରେ ଟ୍ରେନ୍‌ ସହଜରେ ଯାତାୟାତ କରିଥାଏ।

କିଛି ଲୋକ ଏଠାକୁ ପରିବା ପାଇଁ ଆସୁଥିବା ବେଳେ ଆଉ କିଛି ଲୋକ କେବଳ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସେଲ୍‌ଫି ନେବାକୁ ଆସିଥାନ୍ତି। ଏହି ବଜାରଟି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବସିଥାଏ। ଦୁନିଆର ସବୁଠୁ ଅନନ୍ୟ ହେଉଛି ଏହି ରେଳ ମାର୍ଗ। ଏହି ବଜାରରେ ପନିପରିବା, ଫଳ, ମାଂସ, ସାମୁଦ୍ରିକ ଖାଦ୍ୟ ଏବଂ ରାଶନ ମଧ୍ୟ ଉପଲବ୍ଧ। ଥାଇଲ୍ୟାଣ୍ଡ ଟୁରିଜିମ୍‌ ଅଥରିଟି ଅନୁଯାୟୀ, ଟ୍ରେନ୍‌ଗୁଡ଼ିକ ଦିନକୁ ୮ ଥର ଏହି ବଜାର ଦେଇ ଯାଆନ୍ତି।
ମାଇକଲଙ୍ଗ ଷ୍ଟେଶନ ବ୍ୟାଙ୍କକକ୍‌ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ।

Share