ଷଣ୍ଢକୁ ଧକ୍କା ଦେଇ ଟ୍ରେନ୍‌ ଲାଇନଚ୍ୟୁତ: ହାଓଡାରୁ ଭୁବନେଶ୍ୱର ଆସୁଥିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଭଦ୍ରକ ଅଫିସ, ୧୮।୯: ଭଦ୍ରକ ଡଗରାସାହି ଲେଭଲକ୍ରସିଂଠାରେ ଶନିବାର ସନ୍ଧ୍ୟାରେ ରେଳଧାରଣାରେ ଯାଉଥିବା ଏକ ଷଣ୍ଢକୁ ଧକ୍କା ଦେଇ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚାପିହୋଇ ଷଣ୍ଢର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ।
ସୂଚନା ଅନୁଯାୟୀ, ଏହି ଟ୍ରେନ୍‌ ହାଓଡାରୁ ଭୁବନେଶ୍ୱର ଆସୁଥିଲା। ସନ୍ଧ୍ୟା ପ୍ରାୟ ୫ଟା ୪୦ ବେଳେ ଭଦ୍ରକ ଷ୍ଟେଶନଠାରୁ ମାତ୍ର ୨ଶହ ମିଟର ଦୂର ଡଗରାସାହି ଲେଭଲକ୍ରସିଂଠାରେ ଟ୍ରେନ୍‌ଟି ଷଣ୍ଢକୁ ଧକ୍କା ଦେବାରୁ ୨ଟି ଚକ ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଉକ୍ତ ଟ୍ରାକ୍‌ରେ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଥିଲା। ଖବରପାଇ ଭଦ୍ରକ ରେଳଷ୍ଟେଶନର ଏଆର୍‌ଟି (ଆକ୍ସିଡେଣ୍ଟ ରିଲିଫ୍‌ ଟିମ୍‌) ପହଞ୍ଚି ୭ଟା ୧୦ ବେଳେ ଦୁଇ ଚକକୁ ଟ୍ରାକ୍‌କୁ ଆଣିଥିଲା। ୭ଟା ୪୩ରେ ଟ୍ରେନ୍‌ ଗଡ଼ିବା ଆରମ୍ଭ କରିଥିଲା। ଭଦ୍ରକ ଷ୍ଟେଶନରେ କିଛି ସମୟ ରହିବା ପରେ ଟ୍ରେନ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ବୋଲି ରେଲଓ୍ବେ ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ସୁବାସ ସାହୁ କହିଛନ୍ତି।