ରଣଝାଲିରେ ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ଧକ୍କା ଦେଇ ଚମ୍ପଟ ମାରିଲା ଅଟୋ, ଜଣେ ମୃତ, ଜଣେ ଗୁରୁତର

ପୁରୁଷୋତ୍ତମପୁର, ୧୯।୧୦ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ କୋଦଳା ଥାନା ଅନ୍ତର୍ଗତ ଖାରିପଲ୍ଲୀ ଗ୍ରାମର କୃଷ୍ଣ ଦାସ (୨୨)ଙ୍କ ମୃତ୍ୟୁ ହୋଇଥିବା ବେଳେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ପ୍ରଦୀପ ବିଷୋଇ (୨୯) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ସୂଚନା ଅନୁଯାୟୀ, ପ୍ରଦୀପ ତାରାତାରିଣୀ ଛକ ପଟୁ ପୁରୁଷୋତ୍ତମପୁର ଅଭିମୁଖେ ଆସୁଥିବା ବେଳେ କୃଷ୍ଣ ବିପରୀତ ଦିଗରୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଅଟୋ ଓଭରଟେକ୍‌ କରିବା ବେଳେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଟି ବାଇକ୍‌କୁ ଧକ୍କା ଦେବାରୁ ଉଭୟ ଚାଳକ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଏହାପରେ ଅଟୋ ଚାଳକ ଘଟଣାସ୍ଥଳରୁ ଅଟୋ ସହ ଚମ୍ପଟ ମାରିଥିଲେ।

ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Share