ପର୍ଯ୍ୟଟନ ମାନଚିତ୍ରକୁ ବିଗାଡୁଛି ସେମିଳିଗୁଡାର ଟ୍ରାଫିକ ସମସ୍ୟା, ନିଦାବିଷ୍ଣୁ ସାଜିଛି ପ୍ରଶାସନ

ସୁନାବେଡା/ସେମିଳିଗୁଡା, ୨୮ା୧୨ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଦୃଷ୍ଟି ଦେଉନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏବେ ଦେଓମାଳି, ଇକୋ ରିଟ୍ରିଟ୍‌,ରାଣୀ ଡୁଡୁମା ତଥା ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀଗୁଡିକ ପ୍ରତି ଆକୃଷ୍ଟ ହୋଇ ଆସୁଛନ୍ତି। ଫଳରେ ଏଠାକାର ସମସ୍ତ ହୋଟେଲ୍‌ ଓ ରିସୋର୍ଟ ଗୁଡିକରେ ଗହଳି ବଢୁଛି। ଏପରି ସ୍ଥଳେ ଏଠାକାର ମଲ୍‌ଗୁଡିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ଏଠାରେ ଥିବା କେତେକ ହୋଟେଲ୍‌ ଓ ମଲ୍‌ରେ ଗ୍ରାହକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା କଡରେ ଗାଡିଗୁଡିକୁ ରଖିବା ଦ୍ବାରା ମୁଖ୍ୟ ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହେଉଛି। ସନ୍ଧ୍ୟାସମୟରେ ସେମିଳିଗୁଡା ଟ୍ରାଫିକ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଦୁଇ ଓ ଚାରି ଚକିଆ ଗାଡିଗୁଡିକ ପାର୍କିଂ ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି। ପ୍ରାୟ ସମୟରେ ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଯାନବାହନ ଅଟକି ରହୁଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଛି। ଏପରିକି ବେଳେ ବେଳେ ଗୁରୁତର ରୋଗୀଙ୍କୁ ନେଇ ବିଶାଖାପାଟନମ୍‌ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଫସି ରହୁଥିବା ଦୃଷ୍ଟିକୁ ଆସୁଛି। ଯାହା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ପ୍ରଶ୍ନ ଉଠୁଛି ପୌର ପ୍ରଶାସନ ତଥା ଜିଲା ପ୍ରଶାସନ ନିୟମକୁ କିପରି ଫୁ କରି ଦେଉଛନ୍ତି ହୋଟେଲ୍‌ ତଥା ମଲ୍‌ ମାଲିକ। ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କିଛି ବୁଦ୍ଧିଜୀବି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପୌର ପ୍ରଶାସନ ଏ ସବୁ ମଲ୍‌ ଓ ହୋଟେଲ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ।

ପ୍ରକାଶଯେ, ସେମିଳିଗୁଡା କୋରାପୁଟ ଜିଲାର ଦ୍ୱିିତୀୟ ବୃହତ ବାଣିଜି୍ୟକ ସହର ଭାବେ ଖ୍ୟାତି ହାସଲ କରିଛି। ଏହାର ଟ୍ରାଫିକ ବ୍ୟବସ୍ଥା ସର୍ବୋପରି ପର୍ଯ୍ୟଟକଙ୍କ ମନରେ ଓ ପର୍ଯ୍ୟଟନ ମାନଚିତ୍ରକୁ ମଳିନ କରୁଛି। ଯାହାର ଉତ୍ତରଦାୟୀ ହେଉଛି ପ୍ରଶାସନ। ଏପରି ସ୍ଥଳେ ପ୍ରଶାସନ ଯଥା ସମ୍ଭବ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।