ଆଗରପଡ଼ା ବଜାରରେ ଟ୍ରାଫିକ୍‌ ସମସ୍ୟା

ଆଗରପଡ଼ା, ୧୨।୭ (ସୁଶାନ୍ତ କୁମାର ଦାଶ): ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ସୀମାନ୍ତରେ ଅବସ୍ଥିତ ଆଗରପଡ଼ା ବଜାର। ଏହି ବଜାର ଉପରେ ୩ ଜିଲା ସହ ମୟୂରଭଞ୍ଜର କେତେକାଂଶର ଲୋକେ ପ୍ରତ୍ୟେହ ଗମନାଗମନ ପାଇଁ ନିର୍ଭର କରନ୍ତି। ଆଗରପଡ଼ା ବଜାର ସବୁବେଳେ ଜନଗହଳି ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବଜାରର ଶେଷମୁଣ୍ଡରେ ସିଟି ସ୍କୁଲ, ମହିଳା ମହାବିଦ୍ୟାଳୟ, ଅଗ୍ନିଶମ ବିଭାଗ, ବିଦ୍ୟୁତ୍‌ ଗ୍ରୀଡ୍‌ ଏବଂ ଫରେଷ୍ଟ ଅଫିସ ଭଳି ଗୁରୁତରପୂର୍ଣ୍ଣ ବିଭାଗ ରହିଥିବାରୁ ସିଟି ସ୍କୁଲ ନିକଟରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। କିନ୍ତୁ ଦୀର୍ଘଦିନ ହେଲା ଏହି ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଯାଇ ବଜାରର କଲେଜ ଛକଠାରେ ରହୁଥିବାରୁ ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି। କଲେଜ ଛକରୁ ବସ୍‌ରୁ ଓହ୍ଲାଇ ଛାତ୍ରୀମାନେ ମହିଳା କଲେଜ ଓ ସିଟି ସ୍କୁଲ ପ୍ରାୟତଃ ୨ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତା ଚାଲି ଚାଲି ଯାଉଛନ୍ତି। ଟ୍ରାଫିକ ସମସ୍ୟାର ସମାଧାନ ସହ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ପଠାଇବା ପାଇଁ ଆଗରପଡ଼ାର ଅଞ୍ଚଳବାସୀ ଏକତ୍ର ହୋଇ ଆଗରପଡ଼ା ଥାନାଧିକାରିଣୀ ମୋନାଲିସା କରଙ୍କୁ ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି। ଥାନାଧିକାରିଣୀ କର ଏହାକୁ ତ୍ୱରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁରୁଷଣ୍ଢ ସରପଞ୍ଚ ପ୍ରକାଶ କୁମାର ବିଶ୍ୱାଳ, ବିଟିପୁର ସରପଞ୍ଚ ପ୍ରତିନିଧି ସପନ କୁୁମାର ସିଂହ, ବଡ଼ମହିଷଗୋଠ ସରପଞ୍ଚ ପ୍ରତିନିଧି ଦୀପକ କୁମାର ମହାନ୍ତି, ସାମାଜିକ କର୍ମୀ ଅଶୋକ କୁମାର ପରିଡ଼ା, ଗୋପାଳକୃଷ୍ଣ ଦାଶ, ମାନସ ରଞ୍ଜନ ପଟ୍ଟନାୟକ, ବ୍ରଜକିଶୋର ମହାନ୍ତି, ରେଶାଲ ଖଁା, ଶକ୍ତିମୋହନ ରାଉତ, ଦେବବ୍ରତ ତ୍ରିପାଠୀ, ଅଲେଖ ନାୟକ, ସଞ୍ଜୟ କୁମାର ନାଥ, ଜିତେନ୍ଦ୍ର କୁମାର ଶତପଥି ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।