ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁର୍କେଲ ତେଲନଦୀ ଉପରେ ପୋଲ ନିର୍ମାଣ ଦାବି ତେଜିବାରେ ଲାଗିଛି। କଂଗ୍ରେସ ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି। ଗତ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଭବାନୀପାଟଣାରୁ ନୂଆପଡ଼ା ଜିଲାକୁ ସଂଯୋଗ କରୁଥିବା ତୁର୍କେଲ ତେଲନଦୀ ବ୍ରିଜ ଗୋଟିଏ ପଟେ ଦବିଯାଇଥିଲା। ଏହାପରେ ଲୋକଙ୍କ ସୁରକ୍ଷା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅକ୍ଟୋବର ୬ରେ ବ୍ରିଜ ଉପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଫଳର ପ୍ରାୟ ୭ମାସ ହେଲା ଏହି ପୋଲରେ ଯାତୟାତ ଠପ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ହସ୍ତକ୍ଷେପ କରୁ ନ ଥିବାରୁ ମିଲକୀ ଅଞ୍ଚଳବାସୀ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ୧୬ ନମ୍ବର ରାଜ୍ୟ ରାଜପଥରେ ତୁର୍କେଲର ତେଲନଦୀ ଉପରେ ୧୯୭୦ ମସିହାରେ ପୋଲ ନିର୍ମାଣ ହୋଇଥିଲା। ବହୁ ପୁରୁଣା ହୋଇଥିବାରୁ ବ୍ରିଜର ଗୋଟିଏ ସ୍ଥାନରେ ସମ୍ପ୍ରସାରଣ ଜଏଣ୍ଟରେ ପାଣି ଜମୁଥିବାରୁ ଗତ ଜାନୁୟାରୀରେ ସେଣ୍ଟ୍ରାଲ ରୋଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଶନ ଟିମ୍ ସର୍ଭେ ପାଇଁ ଆସିଥିଲା। ବର୍ତ୍ତମାନ ଅଞ୍ଚଳରେ କପା, ଧାନ ଅମଳ ହୋଇ ସାରିଥିବା ବେଳେ ବିକ୍ରି ପାଇଁ ମଣ୍ଡିକୁ ଆଣିବା ଓ ବାହାରକୁ ପଠାଇବା ଲାଗି ଚାଷୀ ହଇରାଣ ହେଉଛନ୍ତି। ସେହିପରି ଛାତ୍ରୀଛାତ୍ର ସ୍କୁଲ କଲେଜ ଯିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳର ବ୍ୟବସାୟ ଠପ ହୋଇଛି। ଏହି ସମସ୍ୟାକୁ ନେଇ ଗତ ଜାନୁୟାରୀରେ ସଦର ବିଧାୟକ ସାଗର ଚରଣ ଦାସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ କଂଗ୍ରେସ ୭ଦିନ ଧରି ଅହୋରାତ୍ର ଧାରଣା ଦେଇଥିଲା। ଅଞ୍ଚଳବାସୀଙ୍କ ସମ୍ୟାକୁ ନେଇ ଗତ ବିଧାସଭାରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରଶ୍ନ ଉଠାଇବା ପରେ ଏକ ସ୍ବତନ୍ତ୍ର ଟିମ ଆସି ତୁର୍କେଲ ପୋଲ ପରିଦର୍ଶନ କରିଥିଲେ। ହେଲେ ପୋଲ ନିର୍ମାଣ ହୋଇପାରି ନାହିଁ। ବିଧାୟକ ମିଶ୍ର ଗୁରୁବାର ତୁର୍କେଲ ସେତୁ ପରିଦର୍ଶନ କରି ରାଜ୍ୟ ସରକାର ପଦକ୍ଷେପ ନେଇ ତୁରନ୍ତ ଶର୍ଟ ଟେଣ୍ଡର ମାଧ୍ୟମରେ ସେତୁ କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ସରକାର ଅଞ୍ଚଳବାସୀଙ୍କ ସମସ୍ୟାର ସମଧାନ ନ କଲେ ଜିଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପୋଲ ପାଇଁ ପୂର୍ତ୍ତ ବିଭାଗ ତତ୍ପରତା ପ୍ରକାଶ କରି ଡିପିଆର୍ ପ୍ରସ୍ତୁତ କରିବା ସହିତ ଖର୍ଚ୍ଚ ଅଟକଳ ସରକାରଙ୍କ ନିକଟକୁ ପଠାଇସାରିଛି। କିନ୍ତୁ ଫାଇଲ ଉପରେ ମୋହର ବାଜିନାହିଁ। ୪୮୦ମିଟର ତୁର୍କେଲ ବ୍ରିଜ ନିର୍ମାଣ ଲାଗି ୧୬କୋଟି ୨୦ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିବା ଜଣାପଡ଼ିଛି।