ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ):କନ୍ଧମାଳ ଜିଲ। ଦାରିଙ୍ଗବାଡିରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣରେ ନାହିଁ। ପୋଲିସ ପକ୍ଷରୁ ଚାରିଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୃହରଖିମାନଙ୍କୁ ଡ୍ୟୁଟି ଦିଆଯାଇଛି। କିନ୍ତୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ସେମାନଙ୍କ ହାତରେ ମଧ୍ୟ ନିୟନ୍ତ୍ରଣ ହେବା ମୁସ୍କିଲ ହୋଇପଡିଛି। ବିଶେଷ କରି ଥାନାର ମୁଖ୍ୟ ଫାଟକ ସମ୍ମୁଖ ସମେତ ବ୍ଲକ ରୋଡ଼, ସୋରଡା ଓ ବାଲିଗୁଡା ରାସ୍ତାର ଏହି ଚାରିଦିଗରେ ବିଭିନ୍ନ ପ୍ରକାର ଗାଡି ପାର୍କିଂ ଯୋଗୁ ଲୋକଙ୍କ ଯାତାୟାତରେ ସମସ୍ୟା ବୃଦ୍ଧି ପାଉଛି। ବସ ଷ୍ଟାଣ୍ଡ ରହିଥିଲେ ମଧ୍ୟ ଯାତ୍ରୀବାହୀ ବସଗୁଡିକ ଚାରିଛକରେ ପାର୍କିଂ କରୁଥିବାଯୋଗୁଁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହୋଇପଡୁଛି। ସେହିପରି ଚାରିଛକ ରେ ଏକାଧିକ ହୋଲସେଲ ଓ ଖୁଚୁରା ଦୋକାନଗୁଡିକ ରହୁଥିବା କାରଣରୁ ସେଠାରେ ମିନି ଟ୍ରକ ସମେତ ବଡ଼ ଟ୍ରକ ଓ ଅଟୋଗୁଡିକ ସାମଗ୍ରୀ ନେବା ଓ ଓଲ୍ହାଇବା ପାଇଁ ଟ୍ରାଫିକ ନିୟନ୍ତ୍ରଣ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। ଏହାର ସମାଧାନ କରିବା ପାଇଁ ପୋଲିସ ପଦକ୍ଷେପ ନେବାକୁ ଦାବି ହେଉଛି।


