ଓଲଟିଲା ଧାନବୋଝେଇ ଟ୍ରାକ୍ଟର: ଜଣେ ଶ୍ରମିକ ମୃତ, ଜଣେ ଆହତ

ଛତ୍ରପୁର,୧୩ା୧(ଦିଲ୍ଲୀପ ସାମଲ): ଭାରସାମ୍ୟ ହରାଇ ଏକ ଧାନବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକ ଜଣକ ହେଲେ ସୁନ୍ଦରପୁର ଗ୍ରାମ ବାଲିସାହିର ରାମ ନାୟକ ଏବଂ ଆହତ ଶ୍ରମିକ ହେଲେ ବାଲିସାହିର ସାଗର ନାୟକ ବୋଲି ସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ଗଗନ କୁମାର ବେହେରା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ସୁନ୍ଦରପୁର ଗ୍ରାମରୁ ଧାନ ବୋଝେଇ ହୋଇଥିବା ଏକ ଟ୍ରାକ୍ଟର କରାପଲ୍ଲୀ ମିଲ୍‌କୁ ଯାଉଥିବା ବେଳେ ବଳରାମପୁର ଓ କରାପଲ୍ଲୀ ମଝିରେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିପଡ଼ିଥିଲା। ଯାହାଫଳରେ ଟ୍ରାକ୍ଟରରେ ଥିବା ୨ ଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ଏହି ଖବର ପାଇ ସରପଞ୍ଚ ଗଗନ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କ ସହଯୋଗରେ ଜେସିବି ଯୋଗେ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ରାମ ନାୟକଙ୍କୁ ମୃତ ଘୋଷଣା କରିଥିଲେ।