କାଠ ଚାଲାଣ ବେଳେ ଘାଟିରେ ଓଲଟିଲା ଟ୍ରାକ୍ଟର

ଆର.ଉଦୟଗିରି,୩।୬(ଡି.ଏନ୍‌.ଏ.): କାଠ ଚାଲାଣ ବେଳେ ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି।

ବିଶେଷ ସୂତ୍ରରୁ ଖବର ପାଇ ଅଡବା ବନପାଳ ପ୍ରଶାନ୍ତ ବେହେରାଙ୍କ ସହ ମୋହନା ବନ ବିଭାଗ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି କାଠ ସହ ଏକ ନମ୍ବର ବିହୀନ ଟ୍ରାକ୍ଟର ଓ ପେଟ୍ରୋଲିଂ କରି ଯାଉଥିବା ଏକ ବାଇକକୁ ଜବତ କରିଥିଲେ। ଏପରିକି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ କଟାମା ଗାଁର ଗାଡି ଚାଳକ ସୁଧାକର ବେହେରା ଓ ପଣସଡିହ ଗାଁର ଦିବାକର ଦଳାଇ। ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ଦ୍ୱୟ ଅଡବା ଥାନା ଅଧୀନ ଖାରିଗୁଡ଼ା ପଞ୍ଚାୟତ ବେତଗଣ୍ଡା ବିଟ୍‌ ଅଞ୍ଚଳରୁ ଟ୍ରାକ୍ଟରରେ ପିଆଶାଳ ସାଇଜ କାଠ ବୋଝେଇ କରି ଗଞ୍ଜାମ ଜିଲା ଗୌଡଗୋଠ ଗ୍ରାମ ଅଭିମୁଖେ ଯାଉଥିବା ତଦନ୍ତରୁ ଜଣାପଡ଼ିଛି।