‘ସାପୁଆ’ରେ ପର୍ଯ୍ୟଟକଙ୍କୁ ମିଳିବ ସୁରକ୍ଷା

ଢେଙ୍କାନାଳ ଅଫିସ, ୧୦।୧୨: ପର୍ଯ୍ୟଟନ ସମ୍ଭାରରେ ଭରପୂର ‘ସାପୁଆ’ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ। ପର୍ଯ୍ୟଟନ ଋତୁରେ ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ ଜାରି ରହିବ। ବଣଭୋଜି ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ସ୍ଥାନିତ କରିବା ଲାଗି ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ। ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଶୁକ୍ରବାର ପ୍ରଶାସନିକ ଅଧିକାରୀମାନେ ଭିତ୍ତିଭୂମି ପରଖିବା ସହ ‘ସାପୁଆ’ର ବିକାଶ ପାଇଁ ଏଭଳି ନୀଳନକ୍ସା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ସବୁଜ ବନାନୀ ମଧ୍ୟରେ ଅବସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସନ୍ଧ୍ୟା ହେଲେ ଅସାମାଜିକ କାର୍ଯ୍ୟକଳାପ ବଢୁଥିବାରୁ ପର୍ଯ୍ୟଟକମାନେ ସୁରକ୍ଷିତ ମଣୁନାହାନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଅପରାହ୍ନରେ ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ, ତହସିଲଦାର ସୁଶାନ୍ତ ମିଶ୍ର, ରେଞ୍ଜର ଲୋହିତ ରଥ, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ବିଭିନ୍ନ ବିଭଗର ସରକାରୀ ଅଧିକାରୀ, ପୋଲିସ ଅଧିକାରୀ, ପାଣି ପଞ୍ଚାୟତ କର୍ମକର୍ତ୍ତାମାନେ ପହଞ୍ଚତ୍ ଭିତ୍ତିଭୂମି ପରଖିଛନ୍ତି।
ଏ ସଂକ୍ରାନ୍ତରେ ସୂଚନା ଦେଇ ଉପଜିଲାପାଳ କୁହନ୍ତି, ‘ସାପୁଆ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ପର୍ଯ୍ୟଟନ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ। ଜଳଭଣ୍ଡାର ବିକାଶ, ପାନୀୟ ଜଳ ବ୍ୟବସ୍ଥା ହେବ। ଉକ୍ତ ଅଞ୍ଚଳ ହାତୀ ଉପଦ୍ରୁତ ହୋଇଥିବାରୁ ଅପରାହ୍ନ ୫ଟା ସୁଦ୍ଧା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀ ଛାଡ଼ିବାକୁ ସଚେତନ କରାଯିବ। ସୁରକ୍ଷା ପାଇଁ ବନ କର୍ମଚାରୀ ନିୟମିତ ପାଟ୍ରୋଲିଂ କରିବେ। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଏକ ୱାଚ୍‌ ଟାୱାର ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିସହ ଜଙ୍ଗଲ ମଧ୍ୟରେ ଥିବା ପ୍ରାକୃତିକ ଝରଣାର ଦୁଇପାର୍ଶ୍ୱରେ ଉନ୍ନତୀକରଣ କାର୍ଯ୍ୟ ହେବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।