ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଦୈନିକ ଶହ ଶହ ପର୍ଯ୍ୟଟକ ପରିବାର ସାଙ୍ଗସାଥୀ ସହ ଆସି ଦାରିଙ୍ଗବାଡ଼ି ବୁଲିବା ସହ ବଣଭୋଜି କରି ମଜା ନିଅନ୍ତି। ଦାରିଙ୍ଗବାଡ଼ିର ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ କିସୁବାଡ଼ି ଜଳପ୍ରପାତ, ଡୁଲୁରୀ ପାଇନବଣ ଏବଂ ମିଡିୟୁବାନ୍ଦା ଜଳପ୍ରପାତରେ ଅଧିକ ପର୍ଯ୍ୟଟକ ବଣଭୋଜି କରି ମଜାନେବା ନଜିର ରହିଛି। କିନ୍ତୁ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି।
ଏହି ସବୁ ପର୍ଯ୍ୟଟନକ୍ଷେତ୍ରରେ ପିଇବା ପାଣି ପାଇଁ ପର୍ଯ୍ୟଟକ ହଇରାଣ ଭୋଗୁଛନ୍ତି। ସର୍ବାଧିକ ଡୁଲୁରୀ ପାଇନ ବଣରେ ବଣଭୋଜି କରି ମଜାନେଉଥିବା ବେଳେ ମାତ୍ର ୨ ଟି ନଳକୂପ ରହିଛି। ଏବଂ ଉକ୍ତ ନଳକୂପରୁ ଆଇରନଯୁକ୍ତ ପାଣି ସହ ଗୋଳିପାଣି ବାହାରୁଛି। ଯାହାକି ପିଇବା ଓ ଭୋଜି ରାନ୍ଧିବା ପାଇଁ କାର୍ଯ୍ୟରେ ଲାଗୁନାହିଁ। ପର୍ଯ୍ୟଟକମାନେ ଏଥିପାଇଁ ଅସନ୍ତୋଷ ହେବା ସହ ବାହାର ଦୋକାନରୁ ଉଚ୍ଚ ଦରରେ ପାଣି କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ପାଣି ଗୋଟିଏ ଲିଟର ବୋତଲ ୫୦ଟଙ୍କା ବଦଳରେ କଳାବଜାରରେ ୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଫଳରେ ପର୍ଯ୍ୟଟକ ଅସନ୍ତୋଷ ହେଉଛନ୍ତି।
ଏନେଇ ଉକ୍ତ ଡୁଲୁରୀ ପାଇନବଣ ରହିଥିବା ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ଅଞ୍ଚଳରେ ବର୍ଷା ଲାଗିରହିଥିଲା। ତେଣୁ ପର୍ଯ୍ୟଟକ ଆସୁ ନ ଥିଲେ। ଫଳରେ ନଳକୂପଗୁଡିକ ବ୍ୟବହାର ହେଉ ନ ଥିଲା। ତେଣୁ ଏବେ ବ୍ୟବହାର କରାଗଲେ ଭଲ ପାଣି ଆସିବ। ଯଦି ନ ଆସେ ତେବେ ମରାମତି କରିବୁ ବୋଲି ସେ କହିଛନ୍ତି। ଏଥିସହ ଶୌଚାଳୟ ଖୋଲୁ ନ ଥିବା ସମ୍ପର୍କରେ ସରପଞ୍ଚ କହିଛନ୍ତି, ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଟାଙ୍କିକୁ ପାଣି ଯୋଗାଣ ହୋଇପାରନି। ବିଦ୍ୟୁତ୍ ସଂଯୋଗ ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

