୨୦୦ ଟଙ୍କାରେ ୫ ଘଣ୍ଟା ମଜା ଉଠାଇବେ ପର୍ଯ୍ୟଟକ: ପୁଣି ଖୋଲିଲା ଭଞ୍ଜନଗର ୱାଟର ପାର୍କ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କ ପୁଣି ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ରାଜ୍ୟର ଜଣାଶୁଣା ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ୱାଟର ପାର୍କ ନିର୍ମାଣ ହୋଇଛି। ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ପାର୍କ ଦୈନିକ ସକାଳ ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ପାର୍କ ଭିତରକୁ ଦୈନିକ ୨୦୦ ରୁ ୩୦୦ ଲୋକଙ୍କୁ ମନୋରଞ୍ଜନ ପାଇଁ ଛଡ଼ାଯିବ। ଏବାବଦରେ ଜଣେ ପର୍ଯ୍ୟଟକଙ୍କୁ ପ୍ରବେଶ ଶୁଳ୍କ ୨୦୦ ଟଙ୍କା ରଖାଯାଇଛି। ୨୦୦ ଟଙ୍କାରେ ଜଣେ ୫ ଘଣ୍ଟା ୱାଟର ପାର୍କ ଭିତରେ ମଜା ଉଠାଇ ପାରିବେ। ଏହାପରେ ପର୍ଯ୍ୟଟକ ମାନେ ଚାହିଁଲେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିଦର୍ଶନ କରିପାରିବେ। ପ୍ରତି ସୋମବାର ପାର୍କ ବନ୍ଦ ରହିବ। ଆଜି ପାର୍କ ପୁଣି ଖୋଲିବା ପରେ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୪ ମସିହା ଜାନୁଆରୀ ମାସ ୨୬ ତାରିଖରେ ଉକ୍ତ ପାର୍କ ଉଦଘାଟନ ହୋଇଥିଲା। ବର୍ଷା ଋତୁ ଆଗମନ ପୂର୍ବରୁ ପାର୍କ ବନ୍ଦ ରହିଥିଲା। ବର୍ଷା ଋତୁ ସରିବା ପରେ ପାର୍କ ପୁଣି ଖୋଲିବା କଥା କିଛି କାରଣ ଯୋଗୁ ତାହା ଖୋଲି ପାରୁ ନ ଥିଲା । ଏହାପରେ ୨୦୨୫ ମେ ୪ ତାରିଖରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁଣି ପାର୍କ ଚାଲିଥିଲା। ବର୍ଷା ଆସିବା ପରେ ପୁଣି ପାର୍କ ବନ୍ଦ ହୋଇଯାଇଥିଲା। ଆଜିଠୁ ପୁଣି ପାର୍କ ଖୋଲିଛି।

 

Dharitri – Odisha’s No.1 Odia Daily