ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା

ଗଞ୍ଜାମ,୧୦।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ଗୋପାଳପୁର ବେଳାଭୂମି ଅଶାନ୍ତ ହେଲାଣି। ସମୁଦ୍ରରେ  ଉଚ୍ଚ ଜୁଆର ଆସୁଛି। ଫଳରେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି। ମଙ୍ଗଳବାର ଏବଂ ବୁଧବାର ସମୁଦ୍ର ଉପକୂଳକୁ ନ ଯିବାକୁ ଗଞ୍ଜାମ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବାତ୍ୟା ଆସିଲେ ଯେକୌଣସି ପରିସ୍ଥିତି ର ମୁକାବିଲା ପାଇଁ ୨ଟି ଓଡ୍ରାଫ ଟିମ୍‌ ପ୍ରସ୍ତୁତ ରଖାଯାଇଛି।
ଅନ୍ୟପଟେ, ବାତ୍ୟା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି।